ଫୋନ୍‌ ଯୋଗେ ପତ୍ନୀଙ୍କୁ ତିନ୍‌ ତଲାକ୍‌ ଦେବା ପରେ ମାସେ ପର୍ଯ୍ୟନ୍ତ ଅଖିଆଅପିଆ ବନ୍ଦ କୋଠରୀରେ ବନ୍ଦୀ କରି ରଖିଲେ ପତି

ଲକ୍ଷ୍ନୌ: ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଫୋନ୍‌ ଯୋଗେ ତିନ୍‌ ତଲାକ ଦେବା ପରି ନିୟମ ବହିର୍ଭୂତ କାର୍ଯର୍୍ୟ କରିବା ସହ ଗୋଟାଏ ମାସ ପର୍ଯ୍ୟନ୍ତ ଏକ ଘରେ ଖାଦ୍ୟ ଓ ପାନୀୟ ବିନା ପତ୍ନୀଙ୍କୁ ବନ୍ଦୀ କରିଥିବା ଅଭିଯୋଗରେ ତାଙ୍କୁ ପୁଲିସ୍‌ ଗିରଫ କରିଛି।

ବରେଲିରେ ଥିବା ଏହି ବ୍ୟକ୍ତିଙ୍କ ଘରୁ ପୀଡ଼ିତା ପତ୍ନୀ ରଜିଆ ୨ ମାସ ତଳେ ଉଦ୍ଧାର ହୋଇଥିଲେ। ମାତ୍ର ଦୀର୍ଘ ଦିନ ଧରି ଅଖିଆ ଅପିଆ ରହିଥିବାରୁ ତାଙ୍କ ଅବସ୍ଥାରେ କୌଣସି ପରିବର୍ତ୍ତନ ପରିଲିକ୍ଷିତ ହୋଇନଥିଲା। ରଜିଆଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ରଜିଆଙ୍କ ପତିଙ୍କ ନିଷ୍ଠୁରତା ହେତୁ ତାଙ୍କ ଝିଅର ଜୀବନ ଛାରଖାର ହୋଇଗଲା। ତାଙ୍କ ଅବସ୍ଥା ଧୀରେ ଧୀରେ ବିଗିଡ଼ିବାରୁ ପରିବାର ଲୋକ ମଙ୍ଗଳବାର ଲକ୍ଷ୍ନୌର ଏକ ହସ୍ପିଟାଲ୍‌କୁ ନେବା ବାଟରେ ରଜିଆଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀରେ ଏକ ଚପଲ ଫ୍ୟାକ୍ଟି୍ର ଚଳାଉଥିବା ରଜିଆଙ୍କ ଅଭିଯୁକ୍ତ ପତି ନଇମ୍‌ଙ୍କୁ ପୁଲିସ୍‌ ଗିରଫ କରି ଜେଲ୍‌ ପଠାଇଛି। ଗୁରୁବାର ନଇମ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ଏକ ଯୌତୁକ ଜନୀତ ହତ୍ୟା ମାମଲା ରୁଜୁ ହୋଇଛି। ରଜିଆଙ୍କ ଭଉଣୀ ଅଭିଯୋଗ ଆଣିଛନ୍ତି ଯେ ନଇମ୍‌ ଯୌତୁକ ଦାବି କରି ରଜିଆଙ୍କୁ ନିୟମିତ ଭାବେ ବାଡ଼ାପିଟା କରୁଥିଲେ।

ନଇମ୍‌ ଓ ରଜିଆ ପରସ୍ପରଙ୍କୁ ୨୦୦୫ ମସିହାରେ ବିବାହ କରିଥିଲେ। ବିବାହର କିଛି ଦିନ ମଧ୍ୟରେ ନଇମ୍‌ ନିଜ ପତ୍ନୀଙ୍କୁ ମାରଧର କରିବା ଆରମ୍ଭ କରି ଦେଇଥିଲେ। ଗତ ଏପ୍ରିଲ୍‌ ମାସରେ ରଜିଆ ବାପଘରେ ଥିବା ସମୟରେ ନଇମ୍‌ ପତ୍ନୀ ରଜିଆଙ୍କୁ ଫୋନ୍‌ ଯୋଗ ତଲାକ ଦେଇଥିଲେ। ରଜିଆ କିଛି ଦିନ ପରେ ଶଶୁରଘରକୁ ଫେରିବା ପରେ ନଇମ୍‌ ତାଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ।

ଏ ସଂପର୍କରେ ନଇମ୍‌ କହନ୍ତି ଯେ, ‘ମୁଁ ମୋ ପତ୍ନୀଙ୍କୁ ଛାଡ଼ପତ୍ର ଦେଇନାହିଁ। ମୋ ଶଶୁରଘର ଲୋକ ମୋ ନାମରେ ଏକ ମିଛି ଯୌତୁକ ଅଭିଯୋଗ ଆଣିଛନ୍ତିି।’

ଏପଟେ ରଜିଆଙ୍କ ପରିବାର ଲୋକେ ଏକ ସ୍ୱେଚ୍ଛାସେବୀ ସଂଗଠନର ସାହାୟତାରେ ରଜିଆଙ୍କୁ ବନ୍ଦ ଥିବ କୋଠରୀରୁ ଉଦ୍ଧାର କରିଥିଲେ। ଏହି ଘଟଣାର ତଦନ୍ତ ପୁଲିସ୍‌ ଜାରି ରଖିଛି।

ସମ୍ବନ୍ଧିତ ଖବର