ନୂଆଦିଲ୍ଲୀ:ଅଭିନେତା ନାନା ପାଟେକରଙ୍କ ସିନେମା 'ବନବାସ'ରେ ବାପାଙ୍କୁ କାଶୀ ବୁଲାଇବାକୁ ଆଣି ପୁଅ ଛାାଡ଼ି ଚାଲି ଯାଇଥିବାର କାହାଣୀ ପରଦାରେ ଆମେ ଦେଖିବାକୁ ପାଇଥିଲୁ। ଏମିତି ଏକ ସମାନ କାହାଣୀ ବାସ୍ତବ ଜୀବନରେ ଦେଖିବାବକୁ ମିଳିଛି। ଗତ ରବିବାର କାନପୁରର ଜଣେ ମହିଳା ତାଙ୍କ ୭୫ ବର୍ଷୀୟ ଅସୁସ୍ଥ ମାଆଙ୍କୁ ମଣିକର୍ଣ୍ଣିକା ଘାଟରେ ହ୍ୱିଲଚେୟାରରେ ଛାଡି ସ୍ବାମୀଙ୍କ ସହିତ ଫେରାର ହୋଇଯାଇଥିଲେ।
ସୂଚନାଯୋଗ୍ୟ, କାନପୁରର ସିଟି କୋତୱାଲି ଅଞ୍ଚଳର ଶିବଲାରେ ବସବାସ କରୁଥିବା ଇନ୍ଦିରା ଦେବୀ ତାଙ୍କର ଏକମାତ୍ର ଝିଅ ଏବଂ ଜ୍ୱାଇଁଙ୍କ ସହିତ ରହୁଥିଲେ। ଗତ ରବିବାର ଝିଅ ଏବଂ ଜ୍ୱାଇଁ ବୃଦ୍ଧାଙ୍କୁ ବାରାଣସୀ ବୁଲାଇବାକୁ ଆଣି ମଣିକର୍ଣ୍ଣିକା ଘାଟ ନିକଟରେ ଛାଡି ଚାଲି ଯାଇଥିଲେ।
ବୃଦ୍ଧ ଜଣକ ଘାଟରେ ଝିଅ ଓ ଜ୍ବାଇଁଙ୍କ ଅପେକ୍ଷା କରି ଘଣ୍ଟାଘଣ୍ଟା ଧରି କାନ୍ଦୁଥିଲେ। ବୃଦ୍ଧାଙ୍କ ଅସୁସ୍ଥ ଅବସ୍ଥା ଦେଖି କିଛି ସଫେଇ କର୍ମଚାରୀମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ସମାଜସେବୀ ଓ ପୁଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ସମାଜସେବୀ ଅମନ କବୀର ଜାଣିବା ପରେ ଇନ୍ଦିରା ଦେବୀଙ୍କ ନିକଟରେ ପହଞ୍ଚି ତାଙ୍କର ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଇନ୍ଦିରା ଦେବୀଙ୍କ ଚେତା ଫେରିବା ପରେ ସେ ତାଙ୍କର ସମ୍ପୂର୍ଣ୍ଣ କାହାଣୀ ବଖାଣି କହିଥିଲେ, ‘ ସ୍ୱାମୀଙ୍କ ମୃତ୍ୟୁ ପରେ ମୋର ଘର ଏବଂ ତଳମହଲାର ଚା ଦୋକାନ ଜ୍ୱାଇଁଙ୍କ ଜବରଦଖଲ କରି ନେଇଛନ୍ତି। ମୋତେ ବାରାଣସୀ ବୁଲାଇବାକୁ ଆଣିବାକୁ କହି କୁଆଡେ ଛାଡ଼ି ଚାଲିଗଲେ ଯେ ଘଣ୍ଟାଘଣ୍ଟା ଅପେକ୍ଷା କରିବା ପରେ ବି ଆସିଲେ ନାହିଁ।
ସାମାଜିକ କର୍ମୀ ଅମନ ଇନ୍ଦିରା ଦେବୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କହିଛନ୍ତି, ‘ବୃଦ୍ଧଙ୍କ ଶରୀରରେ ଆଘାତ ଚିହ୍ନ ରହିଛି। ଯେତେବେଳେ ମୁଁ ତାଙ୍କ ଝିଅ, ଜ୍ୱାଇଁ କିମ୍ବା ପରିବାର ବିଷୟରେ ପଚାରିଥିଲି ସେ ଭୟଭୀତ ହୋଇଯାଇଥିଲେ। ଯେତେବେଳେ ତାଙ୍କୁ ପଚରାଗଲା ଯେ ଝିଅ ଏବଂ ଜ୍ୱାଇଁଙ୍କୁ ଡାକିବା ଉଚିତ କି ନାହିଁ ତାଙ୍କ ମୁହଁର ଭାବ ବଦଳିଯାଇଥିଲା।’
ଏପଟେ ଅସୁସ୍ଥ ବୃଦ୍ଧାଙ୍କ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫେରାର ଝିଅ ଏବଂ ଜ୍ୱାଇଁ ଗତବୁଧବାର ବାରାଣସୀ ପହଞ୍ଚି ନିଜର ଭୁଲ ସ୍ୱୀକାର କରିଛନ୍ତି।