ବାପା, ମା’ଙ୍କ ବୟାନ ରେକର୍ଡ ହେବ

ଡିଏଭି ବିଜିନେସ୍‌ ସ୍କୁଲ୍‌ ଛାତ୍ରୀ ଆତ୍ମହତ୍ୟା ଘଟଣା

ଭୁବନେଶ୍ୱର : ସୋମବାର ବିଳମ୍ବିତ ରାତିରେ ୟୁନିଟ୍‌-୮ ଡିଏଭି ବିଜିନେସ୍‌ ସ୍କୁଲ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟା ଘଟଣାକୁ କ୍ୟାପିଟାଲ ଥାନା ପୁଲିସ ଗୁରୁତ୍ୱର ସହ ନେଇଛି। ତାନିଆ ମା’ଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ କେସ୍‌ ନଂ-୫୨୮ରେ ଆଇପିସିର ଧାରା ୩୦୬ (ଆତ୍ମହତ୍ୟା ପାଇଁ ପ୍ରବର୍ତାଇବା)ରେ ଏକ ମାମଲା ରୁଜୁ କରିଛି। ବୁଧବାର ପୁଲିସ ସିଆର୍‌ପିସିର ଧାରା ୧୬୧ରେ ସ୍କୁଲର ଅଧ୍ୟକ୍ଷ, ଓ୍ଵାର୍ଡେନ୍‌, ସୁପରିନ୍‌ଟେଣ୍ଡେଣ୍ଟ, ସିକ୍ୟୁରିଟି ଗାର୍ଡ ଏବଂ ୬ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରାଇଥିଲା। ହେଲେ ତାନିଆଙ୍କ ବାପା କିମ୍ବା ମା’ଙ୍କ ବୟାନ ରେକର୍ଡ ହୋଇପାରି ନଥିଲା। ତେଣୁ ଖୁବ୍‌ଶୀଘ୍ର ତାନିଆଙ୍କ ମା’ କେୟା ବାନାର୍ଜୀ ଓ ବାପା ତଲକ ବାନାର୍ଜୀଙ୍କ ବୟାନ ରେକର୍ଡ କରାଯିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସୋମବାର ରାତିରେ ହଷ୍ଟେଲ୍‌ରେ ତାନିଆଙ୍କ ୩/୪ଜଣ ସହପାଠିନୀଙ୍କ କିଛି କସ୍‌ମେଟିକ୍ସ ଚୋରି ହୋଇ ଯାଇଥିଲା। ଖୋଜାଖେଜି ପରେ ସହପାଠିନୀମାନେ କୁଆଡ଼େ ତାନିଆଙ୍କଠାରୁ ଏହି କସ୍‌ମେଟିକ୍ସ ପାଇଥିଲେ। ଏହାକୁ ନେଇ ତାନିଆ ଅପମାନିତ ଅନୁଭବ କରିଥିଲେ। ସେ ସେମିତି କିଛି କରି ନାହାନ୍ତି ବୋଲି କହିଲେ ବି ଅନ୍ୟମାନେ ମାନି ନ ଥିଲେ। ଏହାକୁ ନେଇ ତାନିଆ ଓ ସହପାଠିନୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଭଳି ପାଟିତୁଣ୍ଡ ଯୋଗୁଁ ତାନିଆଙ୍କ ରୁମ୍‌ମେଟ୍‌ ମଧ୍ୟ ଅନ୍ୟ ଏକ ରୁମ୍‌କୁ ଯାଇ ସେଠାରେ ପଢ଼ାପଢ଼ି କରିବା ସହ ଶୋଇ ପଡ଼ିଥିଲେ। ଆଉ ରାତିରେ ରୁମ୍‌ରେ ଏକୁଟିଆ ଥିବା ତାନିଆ ନିଜ ଓଢ଼ଣିରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ।

ମା’ କେୟାଙ୍କ କହିବା ଅନୁଯାୟୀ ରାତିରେ ତାନିଆଙ୍କ ପାଖରେ କେହି ନ ରହିବାରୁ ସେ ଆତ୍ମହତ୍ୟା କରିବା ପାଇଁ ସୁଯୋଗ ପାଇଲା। ତେଣୁ ଏଥିପାଇଁ ସ୍କୁଲ କର୍ତୃପକ୍ଷ ଓ ତାନିଆଙ୍କ ସହପାଠିନୀ ଦାୟୀ ବୋଲି ବୋଲି କେୟା କହିଛନ୍ତି। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର