ଡିଏଭି ବିଜିନେସ୍‌ ସ୍କୁଲ୍‌ ଛାତ୍ରୀ ଆତ୍ମହତ୍ୟା ଘଟଣା: ରୁଜୁ ହେଲା ସଂଗିନ ମାମଲା

ଭୁବନେଶ୍ୱର: ସୋମବାର ବିଳମ୍ବିତ ରାତିରେ ୟୁନିଟ୍‌-୮ ଡିଏଭି ବିଜିନେସ୍‌ ସ୍କୁଲ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରୀ ତାନିଆ ବାନାର୍ଜୀଙ୍କ ଆତ୍ମହତ୍ୟା ଘଟଣାକୁ କ୍ୟାପିଟାଲ ଥାନା ପୁଲିସ ଗୁରୁତ୍ୱର ସହ ନେଇଛି। ହଷ୍ଟେଲରେ ସହପାଠିନୀମାନଙ୍କ କସ୍‌ମେଟିକ୍ସ ଚୋରିକୁ ନେଇ ତାନିଆ ଆତ୍ମହତ୍ୟା କରିଥିବା ଚର୍ଚ୍ଚା ହେଉଥିବା ବେଳେ ତାନିଆଙ୍କ ଆତ୍ମହତ୍ୟା ପାଇଁ ସ୍କୁଲ୍‌ କର୍ତୃପକ୍ଷ ଓ କେତେଜଣ ସହପାଠିନୀ ଦାୟୀ ବୋଲି ତାନିଆଙ୍କ ମା’ କେୟା ବାନାର୍ଜୀ ଅଭିଯୋଗ କରିବା ପରେ କ୍ୟାପିଟାଲ ଥାନା ପୁଲିସ ସଂଗିନ୍‌ ମାମଲା ରୁଜୁ କରିଛି। ସ୍କୁଲ କର୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରଥମେ କ୍ୟାପିଟାଲ୍‌ ଥାନାରେ କେସ୍‌ ନଂ- ୧୯୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ତାନିଆ ମା’ଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ କେସ୍‌ ନଂ-୫୨୮ରେ ଆଇପିସିର ଧାରା ୩୦୬(ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଆଜି ପୁଲିସ ସିଆର୍‌ପିସିର ଧାରା ୧୬୧ରେ ସ୍କୁଲର ଅଧ୍ୟକ୍ଷ, ଓ୍ଵାଡେନ୍‌, ସୁପରିନ୍‌ଟେଣ୍ଡେଣ୍ଟ, ସିକ୍ୟୁରିଟି ଗାର୍ଡ ଏବଂ ୬ଜଣ ଛାତ୍ରୀଙ୍କ ବୟାନ ରେକର୍ଡ କରିଛି। ତାନିଆଙ୍କ ମୃତ୍ୟୁ ନେଇ ପୁଲିସ ବିଭିନ୍ନ ଦିଗ ଉପରେ ପଚରାଉଚରା କରିବା ସହିତ ତାନିଆଙ୍କ କଲ୍‌ ରେକର୍ଡ ଯାଞ୍ଚ କରାଯାଉଛି। ତାଙ୍କ ମୋବାଇଲ୍‌ରୁ ଯାଇଥିବା ବିଭିନ୍ନ କଲ୍‌ ଏବଂ ତାନିଆଙ୍କ ମୋବାଇଲ୍‌କୁ ଆସିଥିବା କଲ୍‌ଗୁଡ଼ିକର ରେକର୍ଡିଂକୁ ଯାଞ୍ଚ କରାଯାଉଛି ବୋଲି ଡିସିପି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସୋମବାର ରାତିରେ ହଷ୍ଟେଲ୍‌ରେ ତାନିଆଙ୍କ ୩/୪ଜଣ ସହପାଠିନୀଙ୍କ କିଛି କସ୍‌ମେଟିକ୍ସ ଚୋରି ହୋଇ ଯାଇଥିଲା। ଖୋଜାଖେଜି ପରେ ସହପାଠିନୀମାନେ କୁଆଡ଼େ ତାନିଆଙ୍କଠାରୁ ଏହି କସ୍‌ମେଟିକ୍ସ ପାଇଥିଲେ। ଯାହକୁ ନେଇ ତାନିଆ ଅପମାନିତ ଅନୁଭବ କରିଥିଲେ। ସେ ସେମିତି କିଛି କରି ନାହାନ୍ତି ବୋଲି କହିଲେ ବି ଅନ୍ୟମାନେ ମାନି ନ ଥିଲେ। ଯାହାକୁ ନେଇ ତାନିଆ ଓ ସହପାଠିନୀମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଭଳି ପାଟିତୁଣ୍ଡ ଯୋଗୁଁ ତାନିଆଙ୍କ ରୁମ୍‌ମେଟ୍‌ ମଧ୍ୟ ଅନ୍ୟ ଏକ ରୁମ୍‌କୁ ଯାଇ ସେଠାରେ ପଢ଼ାପଢ଼ି କରିବା ସହ ଶୋଇ ପଡ଼ିଥିଲେ। ଆଉ ରାତିରେ ରୁମ୍‌ରେ ଏକୁଟିଆ ଥିବା ତାନିଆ ନିଜ ଓଢ଼ଣିରେ ଫ୍ୟାନ୍‌ରେ ଫାଶୀ ଟାଙ୍ଗି ଆତ୍ମହତ୍ୟା କରିଥିଲେ। ମା’ କେୟାଙ୍କ କହିବା ଅନୁଯାୟୀ ରାତିରେ ତାନିଆଙ୍କ ପାଖରେ କେହି ନ ରହିବାରୁ ସେ ଆତ୍ମହତ୍ୟା କରିବା ପାଇଁ ସୁଯୋଗ ପାଇଲା। ତେଣୁ ଏଥିପାଇଁ ସ୍କୁଲ କର୍ତୃପକ୍ଷ ଓ ତାନିଆଙ୍କ ସହପାଠିନୀ ଦାୟୀ ବୋଲି ବୋଲି କେୟା କହିଛନ୍ତି ଏବଂ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ନିରପେକ୍ଷ ତଦନ୍ତ ଦାବି କଲା ରାଜ୍ୟ ନାଗରିକ ସମାଜ

ଭୁବନେଶ୍ୱର: ତାନିଆଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ ଦାବି କରିଛି ରାଜ୍ୟ ନାଗରିକ ସମାଜ। ଆଜି ନେହେରୁ ଯୁବପ୍ରତିଷ୍ଠାନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆବାହକ ପ୍ରକାଶ ରଥ କହିଛନ୍ତି ଯେ, ଲିପ୍‌ଷ୍ଟିକ ଚୋରି ନେଇ ଅପମାନିତ ହେବା ପରେ ତାନିଆ ଆତ୍ମହତ୍ୟା କରିଥିବା କୁହାଯାଉଛି। ହେଲେ ତାନିଆଙ୍କ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ଲୁଚି ରହିଛି। ତାନିଆଙ୍କ ବିରୋଧରେ ଏଭଳି ଅଭିଯୋଗଆଣି ତାଙ୍କୁ ଏକଘରିଆ କରିବା, ସର୍ବସମ୍ମୁଖରେ ଟାହିଟାପରା କରିବା କଥା କ’ଣ ସ୍କୁଲ କର୍ତୃପକ୍ଷଙ୍କୁ ଜଣାନଥିଲା? ତାନିଆର ରୁମ୍‌ ମେଟ୍‌ କିପରି ଅନ୍ୟ ଜଣେ ଛାତ୍ରୀଙ୍କ ରୁମ୍‌ରେ ରହିଲେ ସ୍କୁଲ ସୁପରିଟେଣ୍ଡେଣ୍ଟ କିପରି ଜାଣିପାରିଲେନି? ଛାତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକଙ୍କୁ ନ ଜଣାଇ ପୁଲିସ ସହାୟତାରେ କାହିଁକି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ନିଆଗଲା? ଘଟଣାରେ ରାଜ୍ୟର ଜଣେ ବରିଷ୍ଠ ପ୍ରଶାସନିକ ଅଧୀକାରୀଙ୍କ ଝିଅ ସାମିଲ ଥିବାରୁ ପୁଲିସ ଚାପର ବଶବର୍ତ୍ତୀ ହୋଇ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟାକରୁଛି କି? ଏଭଳି ଅନେକ ପ୍ରଶ୍ନ ସନ୍ଦେହ ସୃଷ୍ଟି କରୁଛି ବୋଲି ଶ୍ରୀ ରଥ କହିଛନ୍ତି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ରାଜ୍ୟ ନାଗରିକ ସମାଜ ପକ୍ଷରୁ ଦାବି କରାଯାଇଛି। ଅନ୍ୟପକ୍ଷରେ ନିରପେକ୍ଷ ତଦନ୍ତ ଏବଂ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ପ୍ରଦୀପ୍ତ ନାୟକ ନାମକ ଜଣେ ମାନବାଧିକାର କର୍ମୀ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର