ମୁମ୍ବାଇ: ଅଣ୍ଡର୍ଓ୍ଵାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ୍ଙ୍କ ଭାଇ ଇକ୍ବଲ୍ କସ୍କରଙ୍କୁ ପୁଲିସ୍ କର୍ମଚାରୀ ସ୍ୱତନ୍ତ୍ର ଦେଖାଶୁଣା କରୁଥିବା ଅଭିଯୋଗରେ ଜଣେ ଇନ୍ସ୍ପେକ୍ଟରଙ୍କ ସମେତ ମହାରାଷ୍ଟ୍ରର ୫ ଜଣ ପୁଲିସ୍ କର୍ମୀ ଶୁକ୍ରବାର ନିଲମ୍ବିତ ହୋଇଛନ୍ତି। ସେମାନେ ଇକ୍ବଲ୍ଙ୍କୁ ବିରିଆନି ଓ ସିଗାରେଟ୍ ଯୋଗାଇ ଦେଉଥିଲେ ବୋଲି ଅଭିଯୋଗ ହୋଇଛି।
ଥାନେ ପୁଲିସ୍ର ଯୁଗ୍ମ କମିସନର୍ ମଧୁକର ପାଣ୍ଡେ ନିଲମ୍ବନ ଆଦେଶ ଜାରି କରିଛନ୍ତି। ମାତ୍ର ପୁଲିସ୍ ନିଲମ୍ବିତ ହୋଇଥିବା କର୍ମୀଙ୍କ ନାମ ପ୍ରକାଶ କରିନାହିଁ।
ଇକ୍ବଲ୍ଙ୍କୁ ଗତବର୍ଷ ଧମକାଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା। ସେ ଏବେ ଥାନେ କେନ୍ଦ୍ରୀୟ ଜେଲ୍ରେ ଅଛନ୍ତି।
ଗତ ଗୁରୁବାର ତାଙ୍କର ଦାନ୍ତ ଓ ଛାତି ଯନ୍ତ୍ରଣା ହେଉଥିଲା ବୋଲି ସେ କହିଥିଲେ। ଗୁରୁବାର କୋର୍ଟ ପକ୍ଷରୁ ଇକ୍ବଲ୍ଙ୍କୁ ମେଡିକାଲ୍ ପରୀକ୍ଷା ପାଇଁ ନେବାକୁ ନିର୍ଦ୍ଦେଶ ହୋଇଥିଲା। ଡାକ୍ତରୀ ପରୀକ୍ଷା ସମୟରେ ତାଙ୍କୁ ଯେଉଁ ସ୍ୱତନ୍ତ୍ର ଚିକିତ୍ସା ପ୍ରଦାନ କରାଯାଇଥିଲା ତାହାର ଏକ ଭିଡିଓ ଏକ ବେସରକାରୀ ଟିଭି ଚ୍ୟାନେଲ୍ରେ ବାଜିବା ପରେ ସତ ସାମ୍ନାକୁ ଆସିଛି।
ପୂର୍ବରୁ ବି ଅନେକ ଥର ତାଙ୍କୁ ହସ୍ପିଟାଲ୍ ନିଆଯାଇଛି। ସେ ପୁଲିସ୍ଙ୍କ ସମ୍ମୁଖରେ ସିଗାଟେଟ୍ ପିଅନ୍ତି ବୋଲି ତାଙ୍କ ବିରୋଧରେ ପୂର୍ବରୁ ଅଭିଯୋଗ ଆସି ସାରିଛି। ଏପରିକି ସେ ପୁଲିସ୍ କର୍ମୀଙ୍କ ହାତରେ ଟଙ୍କା ଦେଇ ବିରିୟାନୀ ମଗାଇଥିବା ବି ଜାଣିବାକୁ ମିଳିଛି।