ରାସ୍ତାକଡ଼ରେ କଟାମୁଣ୍ଡ

ଡେଲାଙ୍ଗ: ମଙ୍ଗଳବାର ଡେଲାଙ୍ଗ-ପିପିଲି ରାସ୍ତା ତରବୋଇ ଛକଠାରେ ଜଣେ ଯୁବକଙ୍କର କଟାମୁଣ୍ଡ ଓ ଗଣ୍ଡି ଜବତ କରାଯାଇଛି। ତାଙ୍କୁ କେହି ହତ୍ୟା କରି ରାସ୍ତାକଡ଼ରେ ପକାଇ ଦେଇଥିବା ଅନୁମାନ କରାଯାଉଛି। ପରିଚୟ ମିଳିନଥିବା ଏହି ଯୁବକଙ୍କ ବୟସ ୪୦ରୁ ୪୫ ବର୍ଷ ମଧ୍ୟରେ ହେବ। ମିଳିଥିବା ସୂଚନା ଅନୁଯାୟୀ, ଡେଲାଙ୍ଗ-ପିପିଲି ରାସ୍ତାର ତରବୋଇ ଛକଠାରେ ଆଜି ସନ୍ଧ୍ୟାରେ ଏକ ନୂଆ ସିଏନ୍‌ଜି ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟ ଲୋକେ ଅଟୋ ପାଖକୁ ଯିବା ସମୟରେ ରାସ୍ତା କଡ଼ରେ ଜଣେ ଯୁବକଙ୍କ କଟା ମୁଣ୍ଡ ଏବଂ କିଛି ଦୂରରେ ମୁଣ୍ଡବିହୀନ ଗଣ୍ଡି ପଡ଼ିଥିବା ଦେଖିବାକୁ ପାଇଥିଲେ। ଲୋକଙ୍କଠାରୁ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ ଅଟୋ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରଖିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟିବା ସମୟରେ ଆଉ ଏକ ଅଟୋରେ କିଛି ଯୁବକ ଘଟଣାସ୍ଥଳରୁ ଦ୍ରୁତ ଗତିରେ ଫେରାର ହୋଇ ଯାଇଥିବାରୁ ସେହି ଅଟୋରେ ଯୁବକଙ୍କ ହତ୍ୟାକାରୀ ଥିବା ସ୍ଥାନୀୟ ଲୋକେ ସନ୍ଦେହ କରିଛନ୍ତି। ମୃତ ଯୁବକଙ୍କର ପରିଚୟ ମିଳି ନଥିଲେ ମଧ୍ୟ ସେ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଘଟଣା ଡେଲାଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର