ଡାକ୍ତରଖାନାରେ ଭର୍ତ୍ତି ହେବାର ୨୪ଘଣ୍ଟା ପରେ ଆପଣଙ୍କ ପୁଅ ସର୍ଜରୀ ୟୁନିଟ୍‌ର ରୋଗୀ ନୁହଁ କହି ଓପିଡ଼ି ପଠାଇଲେ ଡାକ୍ତର, ଦୁଇ ଘଣ୍ଟା ଲାଇନ୍‌ରେ ଠିଆ ହୋଇ ଚାଲିଗଲା ୬ବର୍ଷିୟ ଶିଶୁର ଜୀବନ

ସୁରଟ୍‌ : ସିଭିଲ ହସ୍ପିଟାଲରେ ଡ଼ାକ୍ତରଙ୍କ ଅବହେଳା ଯୋଗୁଁ ଜଣେ ୬ବର୍ଷିୟ ଶିଶୁ ଆଖି ବୁଜି ଦେଇଥିବା ଜଣା ପଡ଼ିଛି । ଦୀର୍ଘ ୨୪ଘଣ୍ଟା ପର୍ଯ୍ୟନ୍ତ ଜୀବନ ଏବଂ ମୃତ୍ୟୁ ସହ ସଂଘର୍ଷ କରି କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛି ନାବାଳକ । ହଠାତ୍‌ ନାବାଳକର ଦେହ ଖରାପ ହେବାରୁ ତାକୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିଶୁର ଅବସ୍ଥା ଦେଖି ତାକୁ ଡ଼ାକ୍ତର ପ୍ରଥମେ ସର୍ଜରୀ ବିଭାଗର ଯୁନିଟ୍‌-୫ରେ ଭର୍ତ୍ତି କରାଇଥିଲେ । କିନ୍ତୁ ୨୪ଘଣ୍ଟା ପରେ କୌଣସି ଚିକିତ୍ସା ନ କରି ଓପିଡ଼ିରେ ଭର୍ତ୍ତି କରାଇବା ପାଇଁ କହିଥିଲେ । ଗରିବ ବାପ-ମା ଅନ୍ୟ କୌଣସି ବାଟ ନ ପାଇ ପୁଅକୁ ଓପିଡ଼ିରେ ଭର୍ତ୍ତି କରାଇବାକୁ ଯାଇ ଦୀର୍ଘ ଦୁଇ ଘଣ୍ଟା ଲାଇନ୍‌ରେ ଠିଆ ହୋଇ ରହିଲେ । କିନ୍ତୁ ତାଙ୍କୁ ଜଣା ନଥିଲା ସେଇ ଦୁଇ ଘଣ୍ଟା ତାଙ୍କ ପୁଅ  ସହ ତାଙ୍କର ଶେଷ ଦୁଇ ଘଣ୍ଟା ହେବ ବୋଲି । ସେତିକିରେ ଡ଼ାକ୍ତରଙ୍କ ଅତ୍ୟାଚାର ସରି ନଥିଲା । ଦୁଇ ଘଣ୍ଟା ଅପେକ୍ଷା କରି ଶିଶୁଟି ଆଖି ବୁଜିବା ପରେ ଡ଼ାକ୍ତର ପୁଣି ମୃତ୍ୟୁ ପ୍ରମାଣପତ୍ର ପାଇଁ ଯୁନିଟ୍‌-୫କୁ ପଠାଇ ଦେଇଥିଲେ । ପୂରା ଟଙ୍କା ଦେଲେ ଶିଶୁକୁ ନେଇ ପାରିବ କହି ମୃତ ଶିଶୁର ବାପା-ମାକୁ ଅଟକାଇ ରଖିଥିଲେ ।

ଶିଶୁର ମୃତ୍ୟୁ ପରେ ୟୁନିଟ୍‌-୫ର ସର୍ଜରୀ ବିଭାଗରେ ଥିବା ଡ଼ାକ୍ତର ମିଲନଙ୍କ କହିବା ଅନୁଯାୟୀ ଶିଶୁଟି ହେମୋଫିଲିଆ ରୋଗରେ ପୀଡ଼ିତ ଥିଲେ । ଦୀର୍ଘ ସମୟ ଧରି ତାଙ୍କର ଚିକିତ୍ସା କରା ନଯିବାରୁ ତାଙ୍କ ଅବସ୍ଥା ଅଧିକ ଖରାପ ହୋଇ ଯାଇଥିଲା । ଯୁନିଟ୍‌-୬ର ଡ଼ାକ୍ତର ଶିଶୁଟିକୁ ଆଗ ଦେଖିଥିବାରୁ ପୁଣି ଥରେ ଶିଶୁକୁ ୟୁନିଟ୍‌-୫ରୁ ୟୁନିଟ୍‌-୬କୁ ପଠାଯାଇଥିଲା । କିନ୍ତୁ ଗଲାରେ ଅଧିକ ରକ୍ତସ୍ରାବ ହେବାରୁ ଶିଶୁଟି ମୃତ୍ୟୁବରଣ କରିଥିଲା ।

ସମ୍ବନ୍ଧିତ ଖବର