ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ପୋଷାକୁକୁରକୁ ଚିକିତ୍ସା କରିବା ଜଣେ ପ୍ରାଣୀ ଚିକିତ୍ସକଙ୍କୁ ମହଙ୍ଗା ପଡ଼ିଛି। ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ମୃତ୍ୟୁ ହେବା ପରେ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର କେୟାର ଟେକରଙ୍କ ଅଭିଯୋଗ ଆଧାରରେ ହାଇଦ୍ରାବାଦର ବନଜାରା ହିଲ୍ସ୍ଥିତ ଏକ ଘରୋଇ ପ୍ରାଣୀ ଚିକିତ୍ସାଳୟରେ ଡାକ୍ତରଙ୍କ ନାମରେ ଏଫଆଇଆର ଦାୟର ହୋଇଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓର ସରକାରୀ ବାସଭବନରେ ଥିବା ଏକ କୁକୁରର ଶରୀର ହଠାତ ଖରାପ ହୋଇଥିଲା। ଏହାପରେ କୁକୁରର ଦେଖାଶୁଣା କରୁଥିବା ଅସିଫ୍ ଅଲ୍ଲୀ ବନ୍ଜାରା ହିଲ୍ରେ ଥିବା ‘ଆନିମଲ୍ କେୟାର’ ନାମକ ଘରୋଇ କ୍ଲିନିକ୍କୁ ଚିକିତ୍ସା ଲାଗି ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କୁକୁରର ମୃତ୍ୟୁ ହୋଇଥିଲା। ଏହାପରେ ଅସିଫ ଅଲ୍ଲୀ କୁକୁରକୁ ଚିକିତ୍ସା କରୁଥିବା ପ୍ରାଣୀ ଚିକିତ୍ସକ ଡକ୍ଟର ରଞ୍ଜିତଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ପୋଷା କୁକୁରର ନାମ ହସ୍କି ଥିଲା ଓ ତାକୁ ୧୧ମାସ ହୋଇଥିଲା ବୋଲି ଜଣାପଡ଼ିଛି।