ଅବୈଧ ସଂପର୍କ ମହଙ୍ଗା ପଡ଼ିଲା : ପ୍ରେମିକକୁ ଋଣ ଟଙ୍କା ମାଗିବାରୁ ହତ୍ୟାର ଶିକାର ହେଲେ ପ୍ରେମିକା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ଘରୁ ଜଣେ ୪୦ ବର୍ଷୀୟ ମହିଳାଙ୍କ ଅଧା ପଚି ଯାଇଥିବା ଶରୀର ତାଙ୍କ ମା’ଙ୍କ ଘରୁ ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମହିଳାଙ୍କ ପ୍ରେମିକକୁ ଗିରଫ କରିଥିବା ଜଣାପଡ଼ିଛି ।

ପ୍ରାଥମିକ ତଦନ୍ତ ପରେ କେହି ଜଣେ ଘର ଲୋକ ଏହି କାମ କରିଥିବା ପୁଲିସ ସନ୍ଦେହ କରିଥିଲା । କାରଣ ଜୋର ଜବରଦସ୍ତ କେହି ଘରକୁ ପଶିଥିବାର ପ୍ରମାଣ ପୁଲିସ ହାତରେ ପଡ଼ିନଥିଲା। ଶବ ବ୍ୟବଚ୍ଛେଦ ପରେ ପୀଡ଼ିତା ତାରା ପ୍ରଭୁଙ୍କର ବେକ କାଟି କେହି ହତ୍ୟା କରିଥିବା ଜଣା ପଡ଼ିଥିଲା । ପୂରା ଘଟଣାର ତଦନ୍ତ ପରେ ଏହା ପୀଡ଼ିତାଙ୍କ ସ୍ୱାମୀଙ୍କ ସାଙ୍ଗ ଗୋପିନାଥ(୩୫) ଏହି କାଣ୍ଡ ଭିଆଇ ଥିବା ସୂଚନା ମିଳିଥିଲା।ା

ସୂଚନା ଅନୁଯାୟୀ, ଗୋପିନାଥ ପ୍ରାଣୀ ପ୍ରଶିକ୍ଷକ ଥିବାବେଳେ ତାଙ୍କ ସ୍ତ୍ରୀ ପିଲାଙ୍କ ସହ ସେ ହୋରାମଭୁରେ ରହୁଥିଲେ । ଗୋପିନାଥ ଏବଂ ପୀଡ଼ିତାଙ୍କ ସ୍ୱାମୀ ପ୍ରଭୁ କୁମାର ବନ୍ଧୁ ଥିଲେ । ଦୁହେଁ ଏକାଠି କାମ କରୁଥିବା ବେଳେ ଗୋପିନାଥ ପ୍ରାୟତଃ ପ୍ରଭୁଙ୍କ ଘରକୁ ଯିବା ଆସିବା କରନ୍ତି । କିଛି ଦିନର ମିଳା ମିଶା ପରେ ପୀଡ଼ିତା ଏବଂ ଗୋପିନାଥଙ୍କ ମଧ୍ୟରେ ଅନୈତିକ ସଂପର୍କ ଗଢ଼ି ଉଠିଥିଲା । ଦିନେ ଆର୍ଥିକ ପରିସ୍ଥିତି ଭଲ ନାହିଁି ବୋଲି କହି ଗୋପିନାଥ ପୀଡ଼ିତାଙ୍କୁ ଟଙ୍କା ମାଗିଥିଲେ । ଭଲ ପାଇବାରେ ଅନ୍ଧ ହୋଇ ପୀଡ଼ିତା ଜଣଙ୍କ ସଂପର୍କିୟଙ୍କ ଠାରୁ ଧାର ଉଦ୍ଧାର କରି ୧୧.୮ଲକ୍ଷ ଟଙ୍କା ଆଣି ଗୋପିନାଥଙ୍କୁ ଦେଇଥିଲେ ।

ଢ଼େର ଦିନ ବିତି ଯାଇଥିଲେ ମଧ୍ୟ ଗୋପିନାଥ ଟଙ୍କା ଫେରାଇବାର ନାଁ ଧରି ନଥିଲେ । ପୀଡ଼ିତା ଜଣକ ଟଙ୍କା ମାଗିବାରୁ ମୁଁ ଏବେ ଟଙ୍କା ଦେବାର ପରିସ୍ଥିତିରେ ନାହିଁ ବୋଲି ଗୋପିନାଥ କହିଥିଲେ । ଡ଼ିସେମ୍ବର ୨୮ରେ ପୀଡ଼ିତାଙ୍କ ମା’ ତୀର୍ଥ ଯାତ୍ରା ପାଇଁ ବାହାରକୁ କିଛି ଦିନ ପାଇଁ ଯାଉଥିବାରୁ ତାଙ୍କୁ ଘରେ ଆସି ରହିବାକୁ କହିଥିଲେ । ପୀଡ଼ିତା ଜଣଙ୍କ ତାଙ୍କ ସ୍ୱାମୀଙ୍କୁ କହି ନିଜ ମାଙ୍କ ଘରକୁ ଚାଲି ଆସିବା ସହ ଗୋପିନାଥଙ୍କୁ ସେଠାକୁ ଆସିବା ପାଇଁ ଫୋନ କରି କହିଥିଲେ । ଗୋପିନାଥ ସେଠାରେ ପହଞ୍ଚିବା ପରେ ଦୁଇ ଜଣଙ୍କ ମଧ୍ୟରେ ଟଙ୍କାକୁ ନେଇ ଝଗଡ଼ା ଆରମ୍ଭ ହୋଇଥିଲା । ଟଙ୍କା ନଦେଲେ ତୁମ ଉପରେ ଦୁଷ୍କର୍ମର ଅଭିଯୋଗ କରିବି ବୋଲି କହିବାରୁ ଗୋପିନାଥ ରାଗିଯାଇ ପୀଡ଼ିତାଙ୍କ ବେକକୁ କାଟି ଦେଇଥିଲେ ।

ଗିରଫ ହେବା ଡ଼ରରେ ସେ ପୀଡ଼ିତାଙ୍କ ଶରୀରକୁ ସେଠାରେ ଛାଡ଼ି ବାହାର ପଟୁ କବାଟ ଦେଇ ପଳାଇଥିଲେ । ସୋମବାର ପୀଡ଼ିତାଙ୍କ ମା’ ତୀର୍ଥ ଯାତ୍ରାରୁ ଫେରିବା ପରେ ଝିଅର ମର ଶରୀର ଦେଖି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ପରେ ଏହା ଘରର ଜଣେ ସଦସ୍ୟଙ୍କ କାମ ହୋଇପାରେ ବୋଲି ସନ୍ଦେହ କରିଥିଲା । ପରେ ଗୋପିନାଥଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିବା ପରେ ସେ ସବୁ ଦୋଷ ମାନି ନେଇଥିଲେ ।

ସମ୍ବନ୍ଧିତ ଖବର