ପିସ୍ତଲ୍‌ ସହ ସେଲ୍‌ଫି ନେଉଥିଲେ ଦୁଇ ଭାଇ; ଗୁଳି ଫୁଟି ଜଣଙ୍କର ପ୍ରାଣ ଗଲା

ନୂଆଦିଲ୍ଲୀ : ସେଲ୍‌ଫି ନେବା ସମୟରେ ଦୁର୍ଘଟଣା ଘଟିବା ଖବର ଆଗରୁ ଅନେକ ଥର ଆସିଛି । ସେଲ୍‌ଫିକୁ ସମସ୍ତଙ୍କ ଠାରୁ ଟିକେ ଅଲଗା କରିବା ନିଶାରେ ଆଜିକାଲି ପିଲାମାନେ କିଛି ବି କରିବାକୁ ପଛାଉ ନାହାନ୍ତି । କେବେ ଟ୍ରେନ ଉପରେ ତ କେବେ ପାହାଡ଼ ଧାରରେ ସେମାନେ ସେଲଫି ନେଉଛନ୍ତି । ଏବେ ସେଭଳି ଏକ ଘଟଣା ସମ୍ନାକୁ ଆସିଛି । ନିଜ ସଂପର୍କିୟ ଭାଇ ସହ ବନ୍ଧୁକ ଧରି ସେଲ୍‌ଫି ନେଉଥିବା ବେଳେ ଗୁଳି ଫୁଟି ଯିବାରୁ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଗୁରୁବାର ଏ ଘଟଣାଟି ଦକ୍ଷିଣପୂର୍ବ ଦିଲ୍ଲୀର ସରିତା ବିହାରରେ ଘଟିଥିବା ବେଳେ ପୁଲିସ ଏ ନେଇ ମାମଲା ରୁଜୁ କରିବା ସହ ନାବାଳକ ଭାଇ ବିରୋଧରେ ଆଇନଗତ ତଦନ୍ତ କରିବା ଆରମ୍ଭ କରିଛି । ଛୋଟ ପିଲାମାନଙ୍କୁ ବନ୍ଧୁକ ଦେଇଥିବାରୁ ଅଭିଯୁକ୍ତ ନାବାଳକର (୧୭) ବାପାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ପୁଲିସ ସୂଚନା ଦେଇଛି ।

http://indianexpress.com

ସୂଚନା ମୁତାବକ,ଗୁରୁବାର ସରିତା ବିହାରରେ ଥିବା ନିଜ ମାଉସୀଙ୍କ ଘରକୁ ପ୍ରଶାନ୍ତ ଚୌହ୍ଵାନ(୨୩) ବୁଲିବାକୁ ଆସିଥିଲେ । ଏହି ସମୟରେ ଏକାଦଶରେ ପଢ଼ୁଥିବା ତାଙ୍କ ମାଉସୀଙ୍କ ପୁଅ ସେଲ୍‌ଫି ନେବା ପାଇଁ ପ୍ରଶାନ୍ତଙ୍କୁ ବାଧ୍ୟ କରିଥିଲେ । ପ୍ରଶାନ୍ତ ହଁ ଭରିବା ପରେ ମାଉସୀଙ୍କ ପୁଅ ଘରେ ଥିବା ପିସ୍ତଲ୍‌ ଆଣି ଘରର ଛାତ ଉପରେ ସେଲ୍‌ଫି ନେବା ଆରମ୍ଭ କରିଥିଲେ । କିଛି ସମୟ ପରେ ଭୁଲବଶତଃ ନାବାଳକଙ୍କ ହାତରେ ଥିବା ବନ୍ଧୁକରୁ ଗୁଳି ଫୁଟି ପ୍ରଶାନ୍ତଙ୍କ ଦେହରେ ବାଜିଥିଲା । ଘଟଣା ଘଟିବାର ତୁରନ୍ତ ପରେ ପ୍ରଶାନ୍ତଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଡ଼ାକ୍ତରଖାନା ପକ୍ଷରୁ ପୁଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ଏକ ପୁଲିସ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରଶାନ୍ତଙ୍କ ଘର ଉତ୍ତରପ୍ରଦେଶରେ ହୋଇଥିବା ବେଳେ ସେ ଶହଦାରାରେ ଜଣେ ଚୁକ୍ତିଭିତ୍ତିକ ଶିକ୍ଷକ ଭାବେ କାମ କରୁଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର