ନୂଆଦିଲ୍ଲୀ: ପୁଣି ଜଣେ ବାବାଙ୍କ ଉପରେ ଲାଗିଲା ଦୁଷ୍କର୍ମ ଅଭିଯୋଗ। ଜଣେ କି ୨ଜଣ ନୁହନ୍ତି, ୧୫ରୁ ଅଧିକ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ପ୍ରମୁଖ ଆଶ୍ରମର ମୁଖ୍ୟଙ୍କ ଉପରେ ୧୭ଜଣ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିବା ପରେ ସେ ବର୍ତ୍ତମାନ ଫେରାର ହୋଇଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଦୁଷ୍କର୍ମ ଅଭିଯୋଗ ଲାଗିବା ପରେ ଶ୍ରୀ ଶୃଙ୍ଗେରୀ ମଠ ପ୍ରଶାସନ, ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କୁ ନିର୍ଦ୍ଦେଶକ ପଦରୁ ହଟାଇ ଦେଇଛି ଏବଂ ପୁଲିସ ଆଗ୍ରାରେ ତାଙ୍କର ଶେଷ ଠିକଣା ପାଇ ତାଙ୍କୁ ଖୋଜିବା ଆରମ୍ଭ କରିଛି।

Advertisment

ଅଭିଯୋଗ ହେବା ପରେ ଏତଲା ରୁଜୁ କରି ତାଙ୍କ ନକଲି ୟୁଏନ ନମ୍ବର ପ୍ଲେଟ୍ ଥିବା ଭଲଭୋ କାରକୁ ମଧ୍ୟ ଜବତ କରିଛି ପୁଲିସ। ଆଶ୍ରମ ଏକ ବିବୃତି ଜାରି କରି କହିଛି ଯେ, "ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀ ଯିଏ ସ୍ୱାମୀ ପାର୍ଥସାରଥି ଭାବରେ ଜଣାଶୁଣା, ସେ ବେଆଇନ, ଅନୁପଯୁକ୍ତ କାର୍ଯ୍ୟକଳାପରେ ଲିପ୍ତ ଥିଲେ। ଏଥିପାଇଁ ପୀଠ ତାଙ୍କ ସହିତ ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏହା ସହିତ ସ୍ୱାମୀ ଚୈତନ୍ୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା କରାଯାଇଥିବା ବେଆଇନ କାର୍ଯ୍ୟକୁ ନେଇ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ଦାଖଲ କରାଯାଇଛି।" 

ଅଭିଯୋଗ କରିଥିବା ମହିଳାମାନେ ଶ୍ରୀ ଶାରଦା ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ମ୍ୟାନେଜମେଣ୍ଟରେ ଇଡବ୍ଲୁଏସ(ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ) ସ୍କଲାରସିପ୍ ନେଇ ପିଜିଡିଏମ ପାଠ ପଢ଼ୁଥିଲେ, ଯେଉଁଠାରେ ଅଭିଯୁକ୍ତ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ତଦନ୍ତ ସମୟରେ, ୩୨ ଜଣ ମହିଳା ଛାତ୍ରୀଙ୍କ ବୟାନ ରେକର୍ଡ କରାଯାଇଥିଲା, ଯେଉଁଥିରୁ ୧୭ଜଣ ମହିଳା ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତଙ୍କ ଅପମାନଜନକ ଭାଷା କହିବା, ଅଶ୍ଳୀଳ ହ୍ୱାଟ୍ସଆପ୍ ଏବଂ ଟେକ୍ସଟ୍ ମେସେଜ୍ ପଠାଇବା ସହ ଅନାବଶ୍ୟକ ଶାରୀରିକ ସମ୍ପର୍କ ରଖୁଥିଲେ । ତିନି ଜଣ ମହିଳା ଅଧ୍ୟାପକ ଏବଂ ପ୍ରଶାସକ ଅଭିଯୁକ୍ତଙ୍କ କଥା ମାନିବା ପାଇଁ ସେମାନଙ୍କ ଉପରେ ଚାପ ପକାଉଥିଲେ ବୋଲି ସେମାନେ ଅଭିଯୋଗ କରିଛନ୍ତି।