ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇ ଆତ୍ମହତ୍ୟା କଲେ ଦମ୍ପତି; ଆତ୍ମହତ୍ୟା କରିବା ପୂର୍ବରୁ ବୋହୂ ଶାଶୁଙ୍କୁ ପଠାଇଲେ ହ୍ଵାଟସ୍‌ଆପ୍‌ ମେସେଜ୍‌

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀରେ ରବିବାର ରାତିରେ ଘଟିଥିବା ଗୋଟିଏ ଯୁବ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇ ଆତ୍ମହତ୍ୟା କରିଥିବା ଦମ୍ପତି ହେଲେ ଅର୍ପିତା ବାଗ୍‌ (୨୮) ଓ ତାଙ୍କର ପତି ମୋହିତ୍‌ ବାଗ (୩୦)। ଆତ୍ମହତ୍ୟା କରିବା ପୂର୍ବରୁ ଅର୍ପିତା ତାଙ୍କ ଶାଶୁଙ୍କ ମୋବାଇଲ୍‌କୁ ଭୋର ୪ଟା ୪୫ ମିନିଟରେ ଏକ ହ୍ଵାଟସ୍‌ଆପ୍‌ ମେସେଜ୍‌ ପଠାଇ ସେମାନେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମଧ୍ୟ ସୂଚନା ଦେଇଥିଲେ। ତେବେ, ସକାଳୁ ଏହି ମେସେଜ୍‌ ପଢ଼ି ସେମାନଙ୍କ ପରିବାର ଲୋକେ ଆସି ସେମାନଙ୍କ ନିକଟରେ ପହଞ୍ଚିବା ବେଳକୁ ସବୁ କିଛି ଶେଷ ହୋଇ ଯାଇଥିଲା। ଘଟଣା ସଂପର୍କରେ ଖବର ପାଇବାପରେ ପୋଲିସ୍‌ ଆସି ଆତ୍ମହତ୍ୟା କରିଥିବା ଅର୍ପିତା ଓ ମୋହିତ୍‌ଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ଏହି ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଦକ୍ଷିଣ- ପୂର୍ବ ଦିଲ୍ଲୀର ପୋଲିସ୍‌ ଡେପୁଟି କମିଶନର ଚିନ୍ମୟ ବିଶ୍ୱାଳ କହିଛନ୍ତି ଯେ ଯଦିଓ ଅର୍ପିତା ଓ ତାଙ୍କ ସ୍ୱାମୀ ମୋହିତ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି, ଅର୍ପିତା ତାଙ୍କ ଶାଶୁଙ୍କୁ ଏକ ହ୍ଵାଟସ୍‌ଆପ୍‌ ମେସେଜ୍‌ ଜରିଆରେ ଜଣାଇଥିଲେ, ତେବେ କେଉଁ କାରଣ ପାଇଁ ସେମାନେ ଆତ୍ମହତ୍ୟା କରୁଛନ୍ତି ସେ ସଂପର୍କରେ କିଛି ହେଲେ କହି ନାହାନ୍ତି। କିମ୍ବା କୌଣସି ପ୍ରକାରର ସୁଇସାଇଡ୍‌ ନୋଟ୍‌ ମଧ୍ୟ ଯାଇ ନାହାନ୍ତି। ଏଥିରୁ ସେମାନେ ଉଭୟେ ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇ ଫାଶି ଦେଇ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି। ତେବେ, ଅର୍ପିତା ଓ ମୋହିତଙ୍କ ବିବାହକୁ ମାତ୍ର ଦୁଇବର୍ଷ ହୋଇଥିବା କାରଣରୁ ସେମାନଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଜଣେ ସବ୍‌ ଡିଭିଜନାଲ୍‌ ମାଜିଷ୍ଟ୍ରେଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବ ବୋଲି କହିଛନ୍ତି ପୋଲିସ୍‌ ଡେପୁଟି କମିଶନର ଶ୍ରୀ ବିଶ୍ୱାଳ।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଅର୍ପିତା ଓ ମୋହିତ ଦୁଇବର୍ଷ ତଳେ ପ୍ରେମ ବିବାହ କରିଥିଲେ। ସେମାନଙ୍କର ଏହି ବିବାହରେ ଉଭୟ ପରିବାରର ସମ୍ମତି ମଧ୍ୟ ରହିଥିଲା। ମୋହିତର ପିତା ଦକ୍ଷିଣ ଦିଲ୍ଲୀର ଜଣେ ଅଳଙ୍କାର ବ୍ୟବସାୟୀ ଥିଲେ ଏବଂ ଦକ୍ଷିଣ ଦିଲ୍ଲୀରେ ରହୁଥିଲେ। ବିବାହ ପରେ ମୋହିତ ଦକ୍ଷିଣ ଦିଲ୍ଲୀର ଗୋବିନ୍ଦପୁରୀରେ ଥିବା ତାଙ୍କର ଏହି ଫ୍ଲାଟରେ ପତ୍ନୀ ଅର୍ପିତାଙ୍କୁ ଧରି ରହୁଥିଲେ। ଅନ୍ୟ ପକ୍ଷରେ ଅର୍ପିତାଙ୍କ ପିତାମାତା ବନାରସରେ ରହୁଥିଲେ। ମୋହିତ୍‌ ଏକ ସ୍ପୋଷ୍ଟସ ଇଭେଣ୍ଟ କମ୍ପାନିରେ ଚାକିରି କରୁଥିବା ବେଳେ ଅର୍ପିତା ଥିଲେ ଗୃହିଣୀ। ଏମାନଙ୍କର କୌଣସି ପିଲାପିଲି ନଥିଲେ। ଆର୍ଥିକ ଦୃଷ୍ଟିରୁ ବି ମୋହିତ୍‌ ବେଶ ସ୍ୱଚ୍ଛଳ ଥିଲେ। ପତିପତ୍ନୀଙ୍କ ମଧ୍ୟରେ ମଧ୍ୟ କୌଣସି ପ୍ରକାରର ମତାନ୍ତର କିମ୍ବା ମନାନ୍ତର ନଥିଲା। ତେଣୁ, ଏ ପ୍ରକାର ପରିସ୍ଥିତରେ ସେମାନେ କାହିଁକି ଜୀବନ ହାରିବା ପାଇଁ ନିଷ୍ପତ୍ତି ନେଇ ମିଳିତ ଭାବେ ଆତ୍ମହତ୍ୟା କଲେ ତାହାର କୌଣସି କାରଣ ଖୋଜି ପାଉନାହିଁ ଦିଲ୍ଲୀ ପୋଲିସ୍‌।

ସମ୍ବନ୍ଧିତ ଖବର