ଶ୍ରଦ୍ଧାଙ୍କ ହତ୍ୟାକାରୀ ପ୍ରେମିକ ଦେବ ମିଛଧରା ପରୀକ୍ଷା, ନାର୍କୋ ଟେଷ୍ଟ ପାଇଁ ଅନୁମତି ଦେଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକରଙ୍କ ନିର୍ମମ ହତ୍ୟା ମାମଲାରେ ଜେଲରେ ବନ୍ଦୀ ଥିବା ପ୍ରେମିକ ଅଫତାବ ପୁନାୱାଲାକୁ ଦେବାକୁ ହେବ ମିଛଧରା ପରୀକ୍ଷା। ଅଭିଯୁକ୍ତ ପ୍ରେମିକ ପୁଲିସକୁ ଦେଇଥିବା ତଥ୍ୟ କେତେ ସତ ଏବଂ କେତେ ମିଛ ଏହାର ଯାଞ୍ଚ ପାଇଁ ପୁଲିସ ଅଫତାବର ନାର୍କୋ ଟେଷ୍ଟ କରାଇବା ପାଇଁ ଅନୁମତି ମାଗିଥିବା ବେଳେ ଆଜି ଦକ୍ଷିଣ ଦିଲ୍ଲୀର ସାକେତରେ ଥିବା ଏକ କୋର୍ଟ ଏହାକୁ ଅନୁମତି ଦେଇଛନ୍ତି।

ପଚରାଉଚରା ବେଳେ ଅଫତାବ ମିଛ ସୂଚନା ଦେଇ ତଦନ୍ତ ଉପ‌ରେ ପ୍ରଭାବ ପକାଇବାକୁ ଚେଷ୍ଟା କରୁଥିବା ସନ୍ଦେହ କରି ପୁଲିସ ଏଭଳି ଅନୁରୋଧ କରିଥିଲା। ମୃତ ଶ୍ରଦ୍ଧାଙ୍କ ଫୋନକୁ କେଉଁଠାରେ ଲୁଚାଇ ରଖିଛ ବୋଲି ଅଫତାବକୁ ପୁଲିସ ପଚାରିଥିବା ବେଳେ ସେ ବାରମ୍ବାର ନିଜର ବୟାନ ବଦଳାଇଥିଲେ। ଥରେ ମହାରାଷ୍ଟ୍ରରେ ଫୋନ ଫିଙ୍ଗିବା କଥା କହିବା ସହ ଆଉ ଥରେ ଦିଲ୍ଲୀରେ ହିଁ ଫୋନ ଭାଙ୍ଗି ଫିଙ୍ଗି ଦେଇଥିବା କହିଥିଲେ ଅଫତାବ। ଏହି କାରଣରୁ ଅଫତାବ ଏବେ ବି ଅନେକ କଥା ଲୁଚାଉଥିବା ଭାବି ପୁଲିସ ନାର୍କୋ ଟେଷ୍ଟ କରିବାକୁ ଅନୁମତି ମାଗିଥିଲା।

ଉଲ୍ଲେଖଯୋଗ୍ୟ, ଶ୍ରଦ୍ଧା ୱାକରଙ୍କ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା। ପ୍ରେମ କରିଥିବା ମଣିଷ ପାଇଁ ବାପା-ମା’ଙ୍କୁ ବି ପର କରିଦେଇଥିଲେ ଶ୍ରଦ୍ଧା। ଘର ଛାଡ଼ି ପ୍ରେମିକ ସହ ବିବାହ କରିବେ ଏବଂ ସୁଖର ସଂସାର ଗଢ଼ିବାର ସ୍ବପ୍ନ ଶ୍ରଦ୍ଧା ଦେଖିଥିଲେ। ହେଲେ ତାଙ୍କୁ ଜଣାନଥିଲା ଯେ ତାଙ୍କ ମନର ମଣିଷ ହିଁ ତାଙ୍କୁ ଅତ୍ୟନ୍ତ ଅମାନବୀୟ ଭାବେ ହତ୍ୟା କରି ଆରପାରିକୁ ପଠାଇବ। ଦିଲ୍ଲୀରେ ମେ’ ମାସରେ ହୋଇଥିବା ହତ୍ୟାକାଣ୍ଡର ଏବେ ପର୍ଦ୍ଦାଫାଶ ହୋଇଛି। ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫ୍‌ତାବ ଅମୀନ୍‌ ପୁନାୱାଲ୍ଲା ହତ୍ୟା କରିବା ଏବଂ ତାଙ୍କ ଶରୀରକୁ ୩୫ଖଣ୍ଡ କରି ଫିଙ୍ଗିଦେବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି।

ସମ୍ବନ୍ଧିତ ଖବର