ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଖସି ପଳାଉଥିଲେ ମଦ୍ୟପ ପୁଲିସ୍‌, ସ୍ଥାନୀୟ ଲୋକ ଧରିବା ପରେ ଗିରଫ ହେଲେ

ନୂଆଦିଲ୍ଳୀ: ଦିଲ୍ଳୀର ଜଣେ ପୁଲିସ୍  ସବ-ଇନ୍ସପେକଟର ମଦ ପିଇ ଜଣେ ୬୦ ବର୍ଷିଅ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍ ଅଧିକାରୀ‌ ଜଣକ ଏପରି ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ  ପଳାଇ ଯିବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛନ୍ତି  । ପୂର୍ବ ଦିଲ୍ଲୀର ଚିଲ୍ଲା ଗ୍ରାମର ଏକ ଅଣ ଓସାରିଆ ରାସ୍ତାରେ ମହିଳାଙ୍କ ସହ ଦୁର୍ଘଟଣା ଘଟାଇବା ପରେ ପୁଲିସ୍‌ ଜଣକ ସେ ସ୍ଥାନ ଛାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ ବି ସ୍ଥାନୀୟ ଲୋକଙ୍କ କବଳରୁ ଖସି ଯାଇପାରି ନଥିଲେ।

ଅଭିଯୁକ୍ତ ଦିଲ୍ଲୀ ପୁଲିସ୍‌ ସବ୍‌ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରାଯାଇଛି। ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶୁକ୍ରବାର ଦିଲ୍ଲୀର ଗାଜିପୁର ଅଞ୍ଚଳର ଚିଲ୍ଲା ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି।

ଏହି ଅଭିଯୁକ୍ତ ପୁଲିସ୍‌ ଜଣକ ହେଉଛନ୍ତି ୫୬ ବର୍ଷିଅ ଯୋଗେନ୍ଦ୍ର। ମଦ୍ୟପ ପୁଲିସ୍‌ ଜଣକ ଏହି ଦୁର୍ଘଟଣା ଘଟାଇଥିବା କଥା ସିସିଟିଭି କ୍ୟାମେରାରେ କଏଦ ହୋଇଛି।

ଭିଡିଓରେ ଦେଖିବାକୁ ମିଳିଛି ପ୍ରଥମେ କାର୍‌ଟି ମହିଳାଙ୍କୁ ଧକ୍କା ଦେଉଛି। ମହିଳା ଜଣକ ତଳେ ପଡ଼ି ଯାଉଛନ୍ତି। ସେଠାରେ କିଛି ବ୍ୟକ୍ତି ଆସି କାର୍‌ଟିକୁ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର କାର୍‌ଟି କିଛି ନମାନି ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇ ପଳାଉଛି। ମାତ୍ର ଯାହା ବି ହେଉ ‌ଶେଷରେ ‌ସ୍ଥାନୀୟ ଲୋକ୍‌ କାର୍‌ଟିକୁ ଅଟାଇବାରେ ସଫଳ ହେଉଛନ୍ତି ଓ ଗାଡ଼ି ଚଳାଉଥିବା ସବ୍‌ ଇନ୍‌ସ୍ପେକ୍ଟର ଧରାପଡ଼ିଛନ୍ତି । ତାଙ୍କୁ ଗିରଫ କରାଯାଇଛି।

 

ସମ୍ବନ୍ଧିତ ଖବର