ଦୁଷ୍କର୍ମକାରୀଙ୍କ ଠାରୁ ଅର୍ଥ ନେଇ ବୟାନ ବଦଳାଇବାକୁ ବାଧ୍ୟ କରୁଥିବା ବାପା-ମା’ଙ୍କ ନାମରେ ଏତଲା ଦେଲେ ଝିଅ

ନୂଆଦିଲ୍ଲୀ : ଅଦାଲତରେ ମିଛ ସାକ୍ଷୀ ଦେବା ପାଇଁ ଦୁଷ୍କର୍ମକାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲାଞ୍ଚ ନେଇଥିବାରୁ ପୀଡ଼ିତାଙ୍କ ମା’ଙ୍କୁ ପୁଲିସ ଗିରଫ କରିଥିବା ବେଳେ ତାଙ୍କ ବାପା ଫେରାର ଥିବା ଜଣା ପଡ଼ିଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଅଭିଯୁକ୍ତ ମାତା-ପିତାଙ୍କୁ ଗିରଫ କରିବା ପାଇଁ ପୀଡ଼ିତା ନିଜେ ଯାଇ ଥାନାରେ ଏତଲା ଦେଇଥିଲେ । ଏତଲା ଦିଆଯିବା ପରେ ପୁଲିସ ତୁରନ୍ତ ପୀଡ଼ିତାଙ୍କ ମା’ ଗିରଫ କରିଥିବା ଜଣା ପଡ଼ିଛି ।

IndianFolk

ସୂଚନା ମୁତାବକ, ଅଗଷ୍ଟ ୨୦୧୭ରେ ଦିଲ୍ଲୀର ଅମନ ବିହାର ଅଞ୍ଚଳରେ ପୀଡ଼ିତାଙ୍କ ସହ ଦୁଇ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ। ଏ ନେଇ ପୀଡ଼ିତାଙ୍କ ପରିବାରର ଅଭିଯୋଗ କ୍ରମେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଅଦାଲତରେ ମାମଲାର ଶୁଣାଣି ଚାଲି ଥିବାରୁ ଦୁଇ ଦୁଷ୍କର୍ମକାରୀ ପୀଡ଼ିତାଙ୍କୁ ଅଦାଲତରେ ମିଛ ବୟାନ ଦେବା ପାଇଁ ତାଙ୍କ ମାତା-ପିତାଙ୍କୁ ୫ଲକ୍ଷ ଟଙ୍କା ଦେଇଥିଲେ । ଦୁଷ୍କର୍ମକାରୀଙ୍କଠାରୁ ଟଙ୍କା ପାଇବା ପରେ ପୀଡ଼ିତାଙ୍କ ମାତା-ପିତା ଅଦାଲତରେ ମିଛ କହିବା ପାଇଁ ପୀଡ଼ିତାଙ୍କୁ ବାଧ୍ୟ କରିଥିଲେ । କିନ୍ତୁ ପୀଡ଼ିତାଜଣକ ତାଙ୍କ କଥା ମାନି ନ ଥିଲେ । ଯାହାଫଳରେ ତାଙ୍କୁ ମାତା-ପିତା ମାଡ଼ ମାରି ଘରେ ବନ୍ଦ କରି ରଖିଥିଲେ । କିଛି ଦିନ ଚେଷ୍ଟା କରିବା ପରେ ପଡ଼ୋଶୀଙ୍କ ସାହାଯ୍ୟରେ ପୀଡ଼ିତା ଘରୁ ବାହାରି ପୁଲିସ ଷ୍ଟେସନ ଯିବା ସହ ସବୁ ଘଟଣା ପୁଲିସକୁ ଜଣାଇଥିଲେ । ଏହାପରେ ପୁଲିସ ପୀଡ଼ିତାଙ୍କ ମା’ଙ୍କୁ ଗିରଫ କରିଥିବା ବେଳେ ତା’ଙ୍କ ବାପା ସେଠାରୁ ଫେରାର ହୋଇ ଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର