ନୂଆଦିଲ୍ଲୀ : ଦିଲ୍ଲୀର ଗ୍ରେଟର କୈଳାଶରେ ଏକ ହାଇ ପ୍ରୋଫାଇଲ ଅପହରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜଣେ ବୃଦ୍ଧଙ୍କୁ ଅଚେତ କରି ଘରେ ଥିବା ଫ୍ରିଜ୍ରେ ଭର୍ତ୍ତି କରି ଅପହରଣ କରିବା ଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଭଳି କାମ ବୃଦ୍ଧଙ୍କ ଘରେ ଥିବା ଗୃହ ସହାୟକ କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।
/sambad/media/post_attachments/wp-content/uploads/2017/05/Kidnapping.-1-744x402.jpg)
ସୂଚନା ମୁତାବକ, ଗ୍ରେଟର କୈଳାଶର କୋଠି ନମ୍ବର ଏମ୍-୭୫ରେ କୃଷ୍ଣା ଖୋସଲା ଓ ତାଙ୍କ ପତ୍ନୀ ରହୁଥିଲେ । ଦୁହିଁଙ୍କ ସହ ତାଙ୍କର ଗୃହ ସହାୟକ କିଶନ ମଧ୍ୟ ରହୁଥିଲେ ବୋଲି ଜଣା ପଡ଼ିଛି । ଶନିବାର ସଂନ୍ଧ୍ୟା ୫ଟାରେ କିଶନ ନିଜର ୬ଜଣ ବନ୍ଧୁଙ୍କୁ ନେଇ ଏକ ମିନି ଟ୍ରକ୍ ଯୋଗେ କୋଠି ନମ୍ବର ଏମ୍-୭୫ରେ ପହଞ୍ଚିଥିଲେ । ୬ଜଣ ଘର ଭିତରେ ପଶି କୃଷ୍ଣା ଖୋସଲା ଓ ତାଙ୍କ ପତ୍ନୀଙ୍କୁ ଅଚେତ କରିବା ପରେ ଘରେ ଥିବା ଟଙ୍କା ଓ ସୁନାଗହଣା ଲୁଟି ନେଇଥିଲେ । ଏହା ସହ ଯାଉ ଯାଉ କୃଷ୍ଣା ଖୋସଲାଙ୍କୁ ଘରେ ଥିବା ଫ୍ରିଜ୍ରେ ଭର୍ତ୍ତି କରି ମିନି ଟ୍ରକ୍ ଯୋଗେ ଅପହରଣ କରିଥିଲେ ବୋଲି ଜଣାପଡ଼ିଛି । ରବିବାର ସକାଳେ କୃଷ୍ଣା ଖୋସଲାଙ୍କ ପତ୍ନୀଙ୍କ ଚେତା ଫେରିବା ପରେ ସେ ପଡ଼ୋଶୀଙ୍କ ଜରିଆରେ ପୁଲିସରେ ଅଭିଯୋଗ କରିଥିଲେ । ଏବେ ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି ପୁଲିସ ।