ନୂଆଦିଲ୍ଲୀ: କ୍ୟାଶ ଭ୍ୟାନ ସହ ଆସିଥିବା ଗାର୍ଡଙ୍କୁ ହତ୍ୟା କରି ଟଙ୍କା ଲୁଟିନେଲେ ଲୁଟେରା। ଦିଲ୍ଲୀର ଜଗତପୁର ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଘଟଣାଟି ମଙ୍ଗଳବାର ସନ୍ଧ୍ୟା ୪.୫୦ରେ ଘଟିଥିବା ବେଳେ ପୁଲିସକୁ ଏଘଟଣା ବିଷୟରେ ସନ୍ଧ୍ୟା ୫ଟାରେ ଖବର ମିଳିଥିଲା।
ପୁଲିସର କହିବା ମୁତାବକ, ମଙ୍ଗଳବାର ସନ୍ଧ୍ୟା ୪.୫୦ରେ ଜଗତ୍ପୁର ଫ୍ଲାଏ ଓଭର ନିକଟରେ ଥିବା ଏଟିଏମରେ ଟଙ୍କା ରଖିବା ପାଇଁ ଏକ କ୍ୟାସ ଭ୍ୟାନ୍ ଆସିଥିଲା । ସେଠାରେ ଟଙ୍କା ଜମା କରାଯାଉଥିବା ବେଳେ ଲୁଟେରା ସେଠାରେ ପହଞ୍ଚି ଯାଇଥିଲେ। ଜଣେ ପଛରୁ ଭ୍ୟାନ୍ ଉପରକୁ ଗୁଳି ଚଳାଇଥିବା ବେଳେ ଗୁଳି ସିଧାସଳଖ ଆସି କ୍ୟାସ ଭ୍ୟାନର ଗାର୍ଡଙ୍କ ଦେହରେ ବାଜିଥିଲା। ଗୁଳି ବାଜିବା ପରେ ଗାର୍ଡ ଟଳି ପଡ଼ିବାରୁ ଅଭିଯୁକ୍ତମାନେ ଭ୍ୟାନରେ ଥିବା ସମସ୍ତ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଏନେଇ ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ପ୍ରଥମେ ଗାର୍ଡଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। କୁହାଯାଉଛି ଯେ ଅଭିଯୁକ୍ତମାନେ ପ୍ରାୟ ୮ ଲକ୍ଷ ନଗଦ ଟଙ୍କା ନେଇ ଫେରାର ହୋଇ ଯାଇଛନ୍ତି।
କିଛି ଦିନ ପୂର୍ବରୁ ଲୁଟେରାମାନେ ପୂର୍ବ ଦିଲ୍ଲୀର ପ୍ରୀତ ବିହାର ଅଞ୍ଚଳରେ ଥିବା ଜଣେ ଜିମ୍ ବ୍ୟବସାୟୀଙ୍କ କାର୍ଯ୍ୟାଳୟରେ ପ୍ରବେଶ କରି ତାଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ଏହା ସହ ଜିମରୁ ଅନେକ ଦାମୀ ଜିନିଷ ଚୋରି କରିନେଇଥିଲେ ଲୁଟେରା।