ନୂଆଦିଲ୍ଲୀ: ନୂଆବର୍ଷ ଦିନ ଏକ କାରରେ ଥିବା ୫ଜଣ ଯୁବକ ସ୍କୁଟି ଚଳାଉଥିବା ଅଞ୍ଜଳିଙ୍କୁ ୪ କିଲୋମିଟର ଘୋଷାଡି ନେବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିବା ବେଳେ ଅଞ୍ଜଳିଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ‌‌ଯେ ସେମାନଙ୍କ ଘରୁ ଏଲ୍‌ସିଡି ଟିଭି ଓ ବାସନ ସମେତ ଅନେକ କିଛି ଚୋରି ହୋଇଯାଇଛି।

Advertisment

ଅଞ୍ଜଳିଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ତାଙ୍କ ମାମୁ ଘରେ ଅଛନ୍ତି। ଖାଲି ଘର ଦେଖି ଚୋର ପୂରା କଳାକନା ବୁଲାଇ ଦେଇଥିବା ଅଞ୍ଜଳିଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଅଞ୍ଜଳି ରୋହିଣୀ ଜିଲ୍ଳାର କର୍ଣ୍ଣ ବିହାର ଅଞ୍ଚଳରେ ରହୁଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ଲୋକ ସେହି ଘରେ ତାଲା ପକ‌ାଇ ସେଠାରୁ ପଳାଇ ଯାଇଥିଲେ। ପରବାର ଲୋକ ଅଭିଯୋଗ ଆଣିଛନ୍ତି ଯେ ଚୋର ତାଙ୍କ ଘର ତାଲା ତାଢ଼ି ଏଲ୍‌ସିିଡି ଟିଭି ସହ ବାସନକୁସନ ବି ଚୋରି କରିଛି।

ପଡ଼ୋଶୀମାନେ ସେମାନଙ୍କୁ ଜଣାଇବା ପରେ ଯାଇ ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ଘରେ ଚୋରି ହୋଇଛି। ତେବେ ଅଞ୍ଜଳିଙ୍କ ପରିବାର ପକ୍ଷରୁ ପ୍ରଶ୍ନ ଉଠିଛି ଯେ ପୁଲିସ୍‌ ୮ ଦିନ ହେବ ସବୁ ସ୍ଥାନରେ ଟହଲ ମାରୁଥିଲା। ମାତ୍ର କାଲି ରାତିରେ ହିଁ କାହିଁକି ନଥିଲା?

ଅଞ୍ଜଳି ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଭି‌ଯୁକ୍ତମାନେ  ପ୍ରଥମେ ସେମାନେ କାର୍ ତଳେ ଅଞ୍ଜଳି ଘୋଷାଡି ହୋଇ ଯାଉଥିବା ଜାଣିନଥିଲେ ବୋଲି ପୁଲିସକୁ କହିଥିଲେ। ହେଲେ ଗତକାଲି ସେମାନେ ସବୁ ସତ ମାନିଛନ୍ତି। ପୁଲିସର ପଚରାଉଚରା ବେଳେ ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି ଯେ, ଅଞ୍ଜଳି ତାଙ୍କ କାର ତଳେ ଫସି ରହିଛନ୍ତି ବୋଲି ସେମାନେ ଜାଣିଥିଲେ। କିନ୍ତୁ ଧରାପଡ଼ିଯିବା ଡରରେ ସେମାନେ ଗାଡି ଅଟକାଇନଥିଲେ।