୨ ବର୍ଷ ପୂର୍ବେ ହରାଇଥିଲେ ଚାକିରି, ୧୦୦ଫୁଟ ଉଚ୍ଚ ବିଦ୍ୟୁତ ଖୁଣ୍ଟ ଉପରୁ ନିଯୁକ୍ତି ପତ୍ର ନେଇ ଓହ୍ଲାଇଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଜଣେ ଯୁବକ ନିଜର ଏକ ଦାବି ନେଇ ପାଖାପାଖି ୧୦୦ଫୁଟ ଉଚ୍ଚ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ଯାଇଥିଲା। ଲୋକମାନେ ତାଙ୍କୁ ତଳକୁ ଓହ୍ଲାଇବାକୁ ଅନେକ ବୁଝାଇ ଥିଲେ ହେଁ ସେ କାହାରି କିଛି କଥା ଶୁଣି ନ ଥିଲେ। ତେବେ ଏପରି କାହିଁକି କରୁଛ ତାହାର କାରଣ କ’ଣ ପଚାରିବାରୁ ସେ ଏଭଳି ଉତ୍ତର କରିଥିଲେ।

ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଥିବା ବ୍ୟକ୍ତି ଜଣକ ତଳେ ଥିବା ଲୋକଙ୍କୁ ନିଜ ବ୍ୟଥା ଶୁଣାଇ କହିଥିଲେ, ‘ଦୁଇବର୍ଷ ହେବ ମୋ ଚାକିରି ଚାଲି ଯାଇଛି। ମୁଁ ଏହି ଷ୍ଟାଡିୟମ୍‌ରେ ଅସ୍ଥାୟୀ ଭାବେ ଚପରାସୀ କାମ କରୁଥିଲି। ମୋର ଚାକିରି ସ୍ଥାୟୀ କରିବା ସହିତ ମୋତେ ଚାକିରିରେ ରଖିବାକୁ ଅନେକ ଅନୁରୋଧ କରିଥିଲି, କିନ୍ତୁ ମୋ କଥା କେହି ଶୁଣି ନଥିଲେ। ତେଣୁ ମୁଁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି।’

ଯୁବକଙ୍କ ନାମ ଜୋସ ଲାକଡା ଓ ତାଙ୍କ ବୟସ ୩୯ବର୍ଷ ହେବ ବୋଲି ଜଣାପଡ଼ିଛି। ସେ ମୁଣ୍ଡକା ଗ୍ରାମରେ ବସବାସ କରନ୍ତି। ଛତ୍ରସାଲ ଷ୍ଟାଡିୟମରେ ଅସ୍ଥାୟୀ ଭାବେ ଚପରାସୀ କାମ କରୁଥିଲେ ଜୋସ୍ । ୨ବର୍ଷ ହେବ ତାଙ୍କ ଚାକିରି ଚାଲି ଯାଇଛି। ମଙ୍ଗଳବାର ଦ୍ୱିପହରରେ ଛତ୍ରସାଲ ଷ୍ଟାଡିୟମରେ ଖେଳାଳି ଖେଳ ଅଭ୍ୟାସ କରୁଥିଲେ। ଏହି ସମୟରେ ଜୋସ ଲାକଡା କାହାକୁ କିଛି ନକହି ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ିଯାଇଥିଲେ। ଖୁଣ୍ଟ ଉପରେ ତାଙ୍କୁ ଚଢ଼ୁ ଥିବା ଦେଖି ସ୍ଥାନୀୟଲୋକେ ମଡେଲ ଟାଉନ୍‌ ପୁଲିସ ଏବଂ ଦମକଳ ବିଭାଗକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ଜୋସ୍‌ଙ୍କୁ ଓହ୍ଲାଇବାକୁ କହିଥିଲେ । ସ୍ଥାୟୀ ନିୟୁକ୍ତି ପତ୍ର ନ ଦେଇ ଓହ୍ଲାଇବାକୁ ବାଧ୍ୟ କଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ପରେ ତାଙ୍କ ସର୍ତ୍ତକୁ ମାନି ସ୍ଥାୟୀ ନିଯୁକ୍ତି ପତ୍ର ଦେବା ପରେ ସେ ଉକ୍ତ ବିଦ୍ୟୁତ ଖୁଣ୍ଟ ଉପରୁ ଓହ୍ଲାଇ ଥିଲେ।

ସମ୍ବନ୍ଧିତ ଖବର