ଝଗଡ଼ା ଭାଙ୍ଗିବାକୁ ଯାଇ ୨୨ ଥର ଛୁରୀରେ ଆଘାତ ପାଇବା ପ‌ରେ ଚାଲିଗଲା ଜୀବନ, ୨ ବନ୍ଧୁ ଗୁରୁତର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟକ୍ତିଙ୍କୁ ୨୨ ଥର ଛୁରୀ ମାରିବା ପରେ ବ୍ୟକ୍ତି ଜଣଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ମୃତକଙ୍କର କିଛି ବନ୍ଧୁ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ଏକ ଦଳର ୩ ଜଣଙ୍କ ସହ ମୃତକଙ୍କ ବନ୍ଧୁମାନଙ୍କର ଗଣ୍ଡଗୋଳ ହୋଇ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା। ମୃତକ ଦୁଇ ଦଳର ଲଢ଼େଇକୁ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେ‌ଳେ ବିପକ୍ଷ ଦଳର ଲୋକ‌େ ତାଙ୍କୁ ଏକ ଛୁରୀରେ ୨୨ ଥର ଭୁସିଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ନିରଜ। ତାଙ୍କର ଆହତ ବନ୍ଧୁ ଦ୍ବୟ ହେଉଛନ୍ତି ମୁକେଶ ଓ ରାକେଶ। ମୁକେଶ ଏବଂ ରାକେଶ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଚୁକ୍ତିଭିତ୍ତିକ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରନ୍ତି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ କୃଷ୍ଣ ଏବଂ ରବି ନାମକ ଦୁଇ ଜଣ ସଫଦରଜଙ୍ଗ ଡାକ୍ତରଖାନାରେ କାମ କରୁଥିଲେ। ସେମାନଙ୍କ ବଦଳରେ କଣ୍ଟ୍ରାକ୍ଟର ମୁକେଶ ଏବଂ ରାକେଶଙ୍କୁ ନିଯୁକ୍ତି। ଏହି କାରଣରୁ କୃଷ୍ଣ ଏବଂ ରବି ଯୋଜନା କରି ମୁକେଶ ଏବଂ ରାକେଶଙ୍କୁ ଆକ୍ରମଣ କରିଥିଲେ। ବୁଧବାର ରାତିରେ ମୁକେଶ ଏବଂ ରାକେଶ କାମ ସାରି ଘରକୁ ଫେରିବା ବାଟରେ ଏହି ଆକ୍ରମଣ ଘଟିଥିଲା। ତାଙ୍କ ସହ ନିରଜ ମଧ୍ୟ ଥିଲେ। ସେମାନଙ୍କୁ କୃଷ୍ଣ ଏବଂ ରବି ଅଧା ବାଟରେ ଅଟକାଇଥିଲେ। ସେମାନଙ୍କ ସହ ଜଣେ ନାବାଳକ ମଧ୍ୟ ଥିଲେ। ପ୍ରଥମେ ପାଟି ତୁଣ୍ଡ ହୋଇ ପରେ ଘଟଣା ହିଂସାତ୍ମକ ରୂପ ନେଇଥିଲା।

ସମ୍ବନ୍ଧିତ ଖବର