ନୂଆଦିଲ୍ଲୀ: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ନିଜ ପ୍ରେମିକାଙ୍କୁ ହାତୁଡ଼ିରେ ପିଟି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ପ୍ରେମିକାକୁ ପୁଲିସ୍ ଗିରଫ କରିଛି। ଭାଙ୍ଗି ଯାଇଥିବା ପ୍ରେମ ସଂପର୍କକୁ ପୁଣି ଥରେ ଯୋଡ଼ିବା ପାଇଁ ପ୍ରେମିକା ରାଜି ନ ହେବାରୁ ରାଗରେ ଆସି ପ୍ରେମିକ ଏପରି ଘଟାଇଥିବା ସୂଚନା ରହିଛି।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ୨୪ ବର୍ଷିଅ ପ୍ରେମିକ ତାଙ୍କର ୨୧ ବର୍ଷୀୟା ପ୍ରେମିକାଙ୍କ ସହ ଦକ୍ଷିଣ ଦିଲ୍ଲୀରେ ଥିବା ଏକ ହୋଟେଲ୍ ଭିତରେ ଏପରି କାମ କରିଥିଲେ। ପ୍ରେମିକାଙ୍କୁ ହାତୁଡ଼ିରେ ପିଟିବା ପରେ ତାଙ୍କୁ ଇଣ୍ଡିଆନ୍ ସ୍ପାଇନାଲ୍ ଇନ୍ଜୁରି ସେଣ୍ଟରକୁ ନେଇ ଯାଇଥିଲେ।
ଯୁବତୀ ପଡ଼ିଯିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି ବୋଲି ସେ ଡାକ୍ତରଙ୍କୁ କହିଥିଲେ। ମାତ୍ର ଯୁବତୀଙ୍କ ଚେତା ଫେରିବା ପରେ ସେ ପୁଲିସ୍ ସମ୍ମୁଖରେ ତାଙ୍କ ପୂର୍ବ ପ୍ରେମିକଙ୍କ ସଂପର୍କରେ ଖୋଲାଖୋଲି ଭାବେ ସବୁ କହିଥିଲେ। ଯୁବତୀ ଜଣକ ଏବେ ବିପଦ ବାହାରେ ଥିବା ସୂଚନା ରହିଛି।
ପୁଲିସ୍ ଦେଇଥିବା ରିପୋର୍ଟ ମୁତାବକ, ଯୁବକ ଜଣକ ଏକତରଫା ଭାବେ ଭଲ ପାଉଥିବା ଯୁବତୀଙ୍କୁ ଶେଷ ଥର ପାଇଁ ଦେଖା କରିବାକୁ ଚାହାନ୍ତି ବୋଲି କହି ହୋଟେଲ୍ ରୁମ୍କୁ ନେଇଥିଲେ। ସେଠାରେ ସେ ଯୁବତୀଙ୍କୁ ପୁଣି ଥରେ ତାଙ୍କ ସହ ପ୍ରେମ ସଂପର୍କରେ ରହିବାକୁ ବାଧ୍ୟ କରିଥିଲେ। ମାତ୍ର ଯୁବତୀ ଜଣକ ତାଙ୍କ କଥାରେ ଅରାଜି ହେବାରୁ ସେ ତାଙ୍କ ଉପରେ ଆକ୍ରମଣ କରିଥିଲେ।