ନୂଆଦିଲ୍ଲୀ: ୭୦ହଜା‌ରରେ ପତ୍ନୀ ଭାବେ ମହିଳାଙ୍କୁ କିଣିବା ପରେ ହତ୍ୟା କଲେ ଯୁବକ। ଦିଲ୍ଲୀରେ ରହୁଥିବା ଜଣେ ଯୁବକଙ୍କ ଏଭଳି କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସବୁଠୁ ଅଧିକ ଆଶ୍ଚର୍ଯ୍ୟ କରିଛି ହତ୍ୟା ପଛର କାରଣ। ହତ୍ୟା ପରେ ବ୍ୟକ୍ତି ଜଣକ ଦାବି କରିଛନ୍ତି ଯେ, ପତ୍ନୀ ଭାବେ ଆଣିଥିବା ମହିଳା ଅନେକ ସମୟରେ ନଜଣାଇ ମାସ ମାସ ଧରି ଘର ବାହାରକୁ ଚାଲିଯାଉଥିଲେ। ତାଙ୍କର ଆଚରଣରେ ବିରକ୍ତି ହୋଇ ମୁଁ ତାଙ୍କୁ ହତ୍ୟା କରିଛି। ହତ୍ୟା ପରେ ମୃତଦେହକୁ ଦିଲ୍ଲୀର ଦକ୍ଷିଣ-ପଶ୍ଚିମରେ ଥିବା ଫତେହପୁର ବେରୀର ଏକ ଜଙ୍ଗଲରେ ପକାଇ ଦେଇଥିବା ପୁଲିସକୁ କହିଛି ଅଭିଯୁକ୍ତ।

Advertisment

ଅଭିଯୁକ୍ତର ନାମ ଧରମବୀର ବୋଲି ଚିହ୍ନଟ କରାଯାଇଥିବା ବେଳେ ସେ ନିଜ ବନ୍ଧୁ ଅରୁଣ ଓ ସତ୍ୟବାନର ସାହାଯ୍ୟରେ ମହିଳାଙ୍କୁ ହତ୍ୟା କରିଥିବା ପୁଲିସ ଆଗରେ ସ୍ବୀକାର କରିଛି। ସୂଚନା ମୁତାବକ, ଶନିବାର ଦିନ ଫତେହପୁର ବେରୀର ଝିଲ୍ ଖୁର୍ଡ ସୀମା ନିକଟ ଜଙ୍ଗଲରେ ମହିଳାଙ୍କ ମୃତଦେହ ପଡ଼ିଥିବା ସମ୍ପର୍କରେ ପୁୁଲିସକୁ ଖବର ମିଳିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ସିସିଟିଭି ଫୁଟେଜ୍ ଦେଖି ତଦନ୍ତ ଆରମ୍ଭ କରିଥିଲା। ଏକ ଅଟୋ ରାତି ପ୍ରାୟ ୧.୪୦ରେ ସେହି ଅଞ୍ଚଳକୁ ଯାଉଥିବା ଦେଖି ପୁଲିସ ସନ୍ଦେହ କରିବା ସହ ଅଟୋ ଚାଳକଙ୍କୁ ଖୋଜିବା ଆରମ୍ଭ କରିଥିଲା। ପରେ ଅଟୋଟି ଅରୁଣଙ୍କର ବୋଲି ଜଣାପଡ଼ିଥିଲା।

ସତ ଜାଣିବା ପାଇଁ ଅରୁଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରିବାରୁ ମୃତକଙ୍କ ନାମ ସ୍ବିଟି ବୋଲି କହିଥିଲା ଅଭିଯୁକ୍ତ। ଏହା ସହ ଅରୁଣ ଓ ସତ୍ୟବାନଙ୍କ ସହ ମିଶି ଧରମବୀର ହରିୟାଣା ସୀମାରେ ସ୍ବିଟିଙ୍କୁ ହତ୍ୟା କରିଥିଲେ ବୋଲି ପୁଲିସକୁ ଜଣାଇଥିଲା ଅରୁଣ। ସବୁ ସତ ସାମ୍ନାକୁ ଆସିବା ପରେ ଏବେ ୩ଜଣଙ୍କୁ ଗିରଫ କରିଛି ପୁଲିସ।