ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ନୂଆ ବର୍ଷର ଉତ୍ସବ ମଧ୍ୟରେ ଜଣେ ଯୁବତୀଙ୍କର ଏଭଳି ମୃତ୍ୟୁ ହୋଇଛି, ଯାହା ଆପଣଙ୍କୁ ଦୋହଲାଇ ଦେବ ନିଶ୍ଚୟ। ଏକ କାରରେ ଥିବା ୫ଜଣ ଯୁବକ ଜଣେ ଯୁବତୀଙ୍କୁ ୪କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେବାରୁ ତାଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ପୁଲିସର ଡିସିପି ହରେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ରବିବାର ଭୋର ପ୍ରାୟ ୩ଟା ସମୟରେ କଞ୍ଜାୱାଲା ଅଞ୍ଚଳରୁ ପିସିଆରକୁ ଏକ କଲ ଆସିଥିଲା। କଲରେ ସୂଚନା ଦିଆଯାଇଥିଲା ଯେ ରାସ୍ତା କଡ଼ରେ ଜଣେ ଯୁବତୀ ଉଲଗ୍ନ ଅବସ୍ଥାରେ ପଡ଼ିଛନ୍ତି। ଏହି ସୂଚନା ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଯୁବତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଯୁବତୀଙ୍କ ଶରୀରରେ ପୋଷାକ ନଥିବା ସହ ଘୋଷାଡି ହେବାରୁ ଶରୀରର କିଛି ଅଙ୍ଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା।
ଏହା ସହ ସେ କହିଛନ୍ତି, ୨୩ବର୍ଷୀୟ ଯୁବତୀଜଣକ ଏକ ଇଭେଣ୍ଟ କମ୍ପାନିରେ କାମ କରୁଥିଲେ। କାମ ସାରି ଘରକୁ ସ୍କୁଟିରେ ଫେରୁଥିବା ବେଳେ ୫ଜଣ ଯୁବକ ବସିଥିବା ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା। ଏହା ପରେ କାରଟି ସୁଲତାନପୁରରୁ କଞ୍ଜାୱାଲା ପର୍ଯ୍ୟନ୍ତ ପ୍ରାୟ ୪କିଲୋମିଟର ଯାଏ ଯୁବତୀଙ୍କୁ ଘୋଷାଡି ନେଇଥିଲା। ଏହି କାରଣରୁ ରାସ୍ତାରେ ଘସି ହୋଇ ଯୁବତୀଙ୍କ ଶରୀରରୁ ପିନ୍ଧିଥିବା ପୋଷାକ ଅଲଗା ହୋଇଯାଇଥିଲା। ଏତେ ବାଟ ଘୋଷାଡି ହୋଇ ଯିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା।
ପ୍ରାଥମିକ ଯାଞ୍ଚ ପରେ ପରେ ପୁଲିସ କାରରେ ଥିବା ୫ଜଣଙ୍କୁ ଗିରଫ କରିବା ସହ କାରକୁ ଜବତ କରିଛି। ପ୍ରକୃତରେ ଘଟଣା କେମିତି ଘଟିଥିଲା, ତାହା ଜାଣିବା ପାଇଁ ପୁଲିସ ପଚରାଉଚରା କରୁଥିବା ଜଣାପଡ଼ିଛି।