ସୁନା ଚାଲାଣ କରୁଥିବା ସମୟରେ ପୁଲିସ ହାତରେ ଧରାପଡ଼ିଥିବା ଅଭିଯୁକ୍ତ କହିଲା, ‘ଏହା ସୁନା ନୁହେଁ ପେଟ ଖରାପ ଥିବାରୁ ଅନ୍ତବସ୍ତ୍ରରେ ଝାଡା ହୋଇଯାଇଛି’

ନୂଆଦିଲ୍ଲୀ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ  ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କୁ ସୁନା ଚୋରା ଚାଲାଣ ଘଟଣାରେ ପୁଲିସ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ସୁନାର ପେଷ୍ଟ ବନାଇ ନିଜ ଅନ୍ତବସ୍ତ୍ରରେ ଏହାକୁ ଲୁଚାଇ ରଖିଥିଲା। ସୁରକ୍ଷା ଅଧିକାରୀ ଯାଞ୍ଚ ସମୟରେ ଏହି ବ୍ୟକ୍ତିଙ୍କ ପଛପଟେ କିଛି ଥିବା ଜାଣିବାକୁ ପାଇଥିଲେ। ଏହାପରେ ଯାଞ୍ଚ ଆଗକୁ ବଢ଼ାଇଥିଲେ।

ସୂଚନାଯୋଗ୍ୟ, ବିମାନବନ୍ଦରରେ ଜଣେ ବ୍ୟକ୍ତି ଅସାଧାରଣ ଭାବେ ଚାଲୁଥିଲା। ସୁରକ୍ଷାକର୍ମଚାରୀ ଏହି ବ୍ୟକ୍ତିଙ୍କ ଚାଲିବା ଶୈଳୀ ଦେଖି ସନ୍ଦେହ କରିଥିଲେ ଏବଂ ତାଙ୍କୁ ଅଟକାଇ ଥିଲେ। ଏହାପରେ କଷ୍ଟମ ଅଧିକାରୀ ଉକ୍ତ ବ୍ୟକ୍ତିଙ୍କ ଯାଞ୍ଚ ଆରମ୍ଭ କରିଥିଲେ। ଏହି ଯାଞ୍ଚ ସମୟରେ ତାଙ୍କ ଅନ୍ତବସ୍ତ୍ରରେ କିଛିଥିବା ଜାଣିବାକୁ ପାଇଥିଲେ। ଏହାକୁ ନେଇ ଉକ୍ତ ବ୍ୟକ୍ତିଙ୍କୁ ପ୍ରଶ୍ନ କରିବାରୁ ସେ ଯେଉଁ ଉତ୍ତର ଦେଇଥିଲେ, କଷ୍ଟମ ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟକ୍ତି ଜଣକ କହିଥିଲେ କିଛିଦିନ ହେବ ମୋର ପେଟ ଖରାପ ଅଛି, ତେଣୁ ଅନ୍ତବସ୍ତ୍ରରେ ଝାଡା ହୋଇଯାଇଛି। ସମ୍ପୂର୍ଣ୍ଣ ଯାଞ୍ଚ ପରେ ଜଣାପଡ଼ିଥିଲା କି ସେ ସୁନାକୁ ତରଳାଇ ଏପରି ଅବସ୍ଥା କରି ନିଜ ଅନ୍ତବସ୍ତ୍ରରେ ଲୁଚାଇ ଚାଲାଣ କରୁଥିଲା।

ଜବତ ହୋଇଥିବା ସୁନା  ୮୪୦ଗ୍ରାମର ବୋଲି କୁହାଯାଉଛି। ଯାହାର ମୂଲ୍ୟ ପାଖାପାଖି ୨୯ଲକ୍ଷ ଟଙ୍କା ହେବ। ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଗିରଫ କରାଯାଇଛି। କଷ୍ଟମ ବିଭାଗ ଅଧିକାରୀଙ୍କ କହିବାନୁସାରେ, ଅଭିଯୁକ୍ତ ଜଣେ ଭାରତୀୟ। ସେ ଦୋହାରୁ ୯ ଅକ୍ଟୋବର ଦିନ ଫେରୁଥିବା ସମୟରେ ବିମାନବନ୍ଦରର ଟର୍ମିନାଲ ତିନିରେ ଧରାପଡ଼ିଥିଲା।

ସମ୍ବନ୍ଧିତ ଖବର