ଏହି କାରଣରୁ ପୁଅ ପିତାଙ୍କୁ ୨୦ଥର ଛୁରୀ ଭୁଶି ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଛି

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲା ଥମି ନଥିବା ବେଳେ ନିଶା ନିବାରଣ କେନ୍ଦ୍ରରୁ ଫେରି ଦିଲ୍ଲୀର ଜଣେ ଯୁବକ ନିଜ ପରିବାରକୁ ହତ୍ୟା କରିବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଏହି ଘଟଣାକୁ ନେଇ ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି।

ଅଭିଯୁକ୍ତ କେଶବ ସବୁଠାରୁ ଅଧିକ ଥର ନିଜ ବାପାଙ୍କୁ ଛୁରୀ ଭୁଶି ହତ୍ୟା କରିଥିବା ଜଣାପଡ଼ିଛି। କେଶବ ବାପାଙ୍କ ଶରୀରରେ ୨୦ଟି ସ୍ଥାନରେ ଛୁରୀରେ ଆଘାତ କରିଥିବା ଦେଖିବାକୁ ମିଳିଛି। ପୁଲିସ ସୂତ୍ରରୁ ପ୍ରକାଶ, କେଶବକୁ ତାର ବାପା କହିଥିଲେ, ‘ତୋର ପାଖରେ ଚାକିରି ନାହିଁ, ତୁ ବେକାର ହୋଇ ବୁଲୁଛୁ, ପରିବାର ଉପରେ ବୋଝ ହୋଇଛି।’ ଏପରି ଭାବେ ତାକୁ ୨୦ମିନିଟ ଧରି ଗାଳି ଦେଇଥିଲେ। ତେଣୁ ସେ ତାର ବାପାଙ୍କୁ ହତ୍ୟା କରି ୨୦ଟି ସ୍ଥାନରେ ଛୁରୀ ଭୁଶିଥିଲା ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ଏହି ହତ୍ୟାଘଟଣାକୁ ନେଇ ପୁଲିସ ପଚରାଉଚରା ବେଳେ କେଶବ କହିଥିଲା, ଗତବୁଧବାର ସକାଳେ ହୋଇଥିବା ଝଗଡ଼ାରେ ବାପା ତାକୁ ବହୁ ଗଳି କରିଥି‌ଲେ। ଏହାପ‌ରେ ସେ ମଣିଷ ରୂପୀ ରାକ୍ଷସ ପାଲଟି ଏହି ହତ୍ୟାକାଣ୍ଡ କରିବ ବୋଲି ସ୍ଥିର କରିଥିଲା।

ସୂଚନା ମୁତାବକ, ଗତ ମଙ୍ଗଳବାର ରାତିରେ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ପାଲାମସ୍ଥିତ କେଶବଙ୍କ ଘରୁ ମୃତଦେହ ମିଳିବା ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା। ଧାରୁଆ ଅସ୍ତ୍ରରେ ଗଳା କାଟିବା ପରେ ଏକାଧିକ ଥର ଛୁରୀ ଭୁଶି କେଶବ ନିଜ ପରିବାର ଲୋକଙ୍କୁ ହତ୍ୟା କରିଥିବା ପୁଲିସ କହିଥିଲା। ମୃତକଙ୍କ ମଧ୍ୟରେ ରହିଛନ୍ତି କେଶବର ଜେଜେ ମା’ ଦିୱାନା ଦେବୀ(୭୫), ବାପା ଦିନେଶ(୫୦), ମା’ ଦର୍ଶନା ଏବଂ ଭଉଣୀ ଉର୍ବଶୀ(୧୮)। ମାତା-ପିତାଙ୍କ ମୃତଦେହ ଗାଧୁଆ ଘରୁ ଉଦ୍ଧାର କରାଯାଇଥିବା ବେଳେ ଭଉଣୀ ଓ ଜେଜେ ମା’ଙ୍କ ମୃତଦେହ ଶୋଇବା ଘରୁ ଉଦ୍ଧାର କରିଥିଲା ପୁଲିସ।

ସମ୍ବନ୍ଧିତ ଖବର