ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀ ପୁଲିସର ସାଇବର ସେଲ୍ ଆଇଆଇଟି ଖଡ଼ଗପୁରରୁ ବି-ଟେକ୍ କରୁଥିବା ଜଣେ ହାଇଟେକ୍ ସାଇବର ଅପରାଧୀକୁ ଗିରଫ କରିଛି। ଯିଏକି ଦିଲ୍ଲୀର ପ୍ରତିଷ୍ଠିତ ବିଦ୍ୟାଳୟର ୫୦ରୁ ଅଧିକ ନାବାଳିକା ଛାତ୍ରୀ ଏବଂ ଶିକ୍ଷକଙ୍କୁ ଅନଲାଇନରେ ହଇରାଣ କରୁଥିଲା। ଏଥିସହିତ ସେମାନଙ୍କର ଅଶ୍ଳୀଳ ଭିଡିଓ ବି ଅପଲୋଡ୍ କରୁଥିଲା।
ଉତ୍ତର ଦିଲ୍ଲୀର ଡିସିପି ସାଗର କୁମାର କଲସିଙ୍କ ଅନୁଯାୟୀ, ଉତ୍ତର ଦିଲ୍ଲୀର ଏକ ପ୍ରତିଷ୍ଠିତ ବିଦ୍ୟାଳୟର ନାବାଳିକା ଛାତ୍ରୀମାନେ ତଥା ସ୍କୁଲ ଶିକ୍ଷକମାନେ ଅଭିଯୋଗ କରିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୬ ରେ ଜଣେ ଅନଲାଇନ୍ ସାଇବର ଅପରାଧୀ ବିଦ୍ୟାଳୟର ନାବାଳିକାଙ୍କ ପଛରେ ପଡ଼ି ଯାଇଥିଲା। ଏଥିସହିତ ହ୍ବାଟସ ଆପରେ ବାର୍ତ୍ତା ମଧ୍ୟ ପଠାଉଥିଲା ଓ ଆନ୍ତର୍ଜାତୀୟ ନମ୍ବରରୁ କଲ ମଧ୍ୟ ଆସୁଥିଲା।
ଅଭିଯୋଗ ହୋଇଛି କି ଏହି ସାଇବର ଅପରାଧୀ ବିଦ୍ୟାଳୟର ଅନଲାଇନ୍ କ୍ଲାସରେ ପ୍ରବେଶ କରି ଆଡମିନ ଏବଂ ଗ୍ରୁପ୍ ଆଇକନକୁ ପରିବର୍ତ୍ତନ ନକରି ହ୍ବାଟସଆପ୍ ଗ୍ରୁପରେ ସାମିଲ ହୋଇଯାଉଥିଲା। ଏହାପରେ ଅନେକ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଥିଲା।
ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି କ୍ରମରେ ପୀଡିତା ବାଳିକା, ଶିକ୍ଷକ ଏବଂ ଅଭିଭାବକଙ୍କୁ ପୁଙ୍ଖାନୁପୁଙ୍ଖ ପଚରାଉଚରା କରାଯାଇଥିଲା ଏବଂ ୩୩ଟି ହ୍ବାଟସ ଆପ୍ ଭର୍ଚୁଆଲ୍ ନମ୍ବର, ୫ଟି ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଏବଂ ନକଲି କଲର୍ ଆଇଡି ଆପ୍ ବ୍ୟବହାର କରୁଥିବା ଏକାଧିକ କଲ୍ ଚିହ୍ନଟ କରିଥିଲା ପୁଲିସ।
ମୋବାଇଲ୍ ନମ୍ବର ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ଏହି ନମ୍ବର ମଧ୍ୟରୁ ଗୋଟିଏ ନମ୍ବରରୁ ୩ ବର୍ଷ ପୂର୍ବେ ପୀଡିତାଙ୍କୁ ସମ୍ପର୍କ କରାଯାଇଥିଲା। ସେହି ଦିନଠାରୁ ସେ ତାଙ୍କୁ ହଇରାଣ କରୁଥିଲା।
ପୁଲିସ ସୋସିଆଲ୍ ମିଡିଆ ଆକାଉଣ୍ଟ ତିଆରି କରିବା ପାଇଁ ବ୍ୟବହୃତ ହୋଇଥିବା ହ୍ବାଟସଆପ, ନକଲି ମେଲ୍ ଆଇଡି ଯାଞ୍ଚ କରିଥିଲା। ଏହା ପରେ ଅଭିଯୁକ୍ତର ପରିଚୟ ୧୯ ବର୍ଷ ବୟସ୍କା ମହାବୀର ବୋଲି ଜଣାପଡ଼ିଥିଲା। ଯିଏକି ପାଟନାର ଖାଜେକଲା ଅଞ୍ଚଳର ବାସିନ୍ଦା ଥିଲା। ତାକୁ ତାର ଘରୁ ଗିରଫ କରାଯାଇଥିଲା।
ଅଭିଯୁକ୍ତ ମହାବୀର ଆଇଆଇଟି ଖଡ଼ଗପୁରରୁ ବିଟେକ କରୁଥିବା ଜଣାପଡ଼ିଛି। ପଚରାଉଚରା ବେଳେ ସେ କହିଥିଲା ଯେ ସେ ଉତ୍ତର ଦିଲ୍ଲୀର ଏକ ପ୍ରତିଷ୍ଠିତ ବିଦ୍ୟାଳୟର ଛାତ୍ରୀଙ୍କ ସହ ଯୋଗାଯୋଗ କରିଥିଲା। ଏହା ପରେ ସେ ଇନଷ୍ଟାଗ୍ରାମ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଛାତ୍ରୀଙ୍କ ସାଙ୍ଗମାନଙ୍କ ସହିତ ଯୋଗାଯୋଗ ଆରମ୍ଭ କରିଥିଲା।
ଅଭିଯୁକ୍ତ ମହାବୀରକୁ ଆପଗୁଡ଼ିକ ବିଷୟରେ ଭଲ ଜ୍ଞାନ ଥିଲା। ସେ ଏହି ଆପଗୁଡ଼ିକୁ ବ୍ୟବହାର କରି ନାବାଳିକା ଛାତ୍ରୀଙ୍କୁ ହଇରାଣ କରୁଥିଲା। ଅଭିଯୁକ୍ତ ମହାବୀରର ମୋବାଇଲ୍ ଫୋନରେ ଅନେକ ଅଶ୍ଳୀଳ ଭିଡିଓ ଏବଂ ଫଟୋ ମଧ୍ୟ ଦେଖିବାକୁ ମିଳିଛି।