ଆକ୍ସନ ମୋଡରେ ଦିଲ୍ଲୀ ପୁଲିସ: ଏନକାଉଣ୍ଟର ଭୟ ଭିତରେ ରିମାଣ୍ଡରେ ଗଲା ଲରେନ୍ସ ବିଷ୍ଣୋଇ

ନୂଆଦିଲ୍ଲୀ: ରିମାଣ୍ଡରେ ଗଲା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ। ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିଷ୍ଣୋଇଙ୍କୁ ରିମାଣ୍ଡରେ ନେଇଛି। ମୁସେ ୱାଲାଙ୍କୁ ହତ୍ୟା କରାଯିବା ପଛରେ ବିଷ୍ଣୋଇଙ୍କ ନାଁ ଉଠିବାରୁ ସ୍ପେଶାଲ୍ ସେଲ୍ ବିଷ୍ଣୋଇଙ୍କୁ ପଚରାଉଚରା କରିବା ପାଇଁ ରିମାଣ୍ଡରେ ନେଇଛି।

ଏହାପୂର୍ବରୁ ତିହାର ଜେଲରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ଓକିଲ ପଟିଆଲା କୋର୍ଟରେ ଏକ ଆବେଦନ କରିଥିଲେ। ଏହି ଆବେଦନରେ ଓକିଲ ଲରେନ୍ସଙ୍କ ସୁରକ୍ଷା ବୃଦ୍ଧି କରିବାକୁ ଦାବି କରିଥିଲେ। ଜେଲରେ ଥିବା ଲରେନ୍ସ ବିଷ୍ଣୋଇଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ସୁରକ୍ଷା ବୃଦ୍ଧି କରାଯାଉ ବୋଲି ଦାବି କରିଥିଲେ। ପଞ୍ଜାବ ପୁଲିସ ସିଦ୍ଧୁଙ୍କ ହତ୍ୟା ପାଇଁ ରିମାଣ୍ଡରେ ନେଲେ ଏନକାଉଣ୍ଟର କରିଦେବ ବୋଲି ସନ୍ଦେହ କରି ପଟିଆଲା ହାଉସ କୋର୍ଟରେ ଏଭଳି ଆବେଦନ କରାଯାଇଥିଲା, ଯେଉଁଥିରେ ତାଙ୍କୁ ରିମାଣ୍ଡ‌ରେ ନପଠାଯାଉ ବୋଲି ଲେଖାଯାଇଥିଲା।

ତେବେ କାନାଡ଼ାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଓ ତିହାର ଜେଲରେ ବନ୍ଦ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ମିଶି ସିଦ୍ଧୁଙ୍କୁ ହତ୍ୟା କରିବାର ଯୋଜନା କରିଥିବା ଜଣାପଡ଼ିଛି। ଏନେଇ ପୁଲିସ ଅସଲ ଦୋଷୀକୁ ଖୋଜିବା ପାଇଁ ଅଭିଯାନ ଆରମ୍ଭ କରିଛି। ସିଦ୍ଧୁଙ୍କୁ ହତ୍ୟା କରିବା ପରେ କାନାଡାରେ ଥିବା ଗୋଲ୍ଡି ବ୍ରାର ଫେସବୁକ ପୋଷ୍ଟ କରି ସିଦ୍ଧୁଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଥିଲେ। ଗୋଲ୍ଡି ବ୍ରାର ଓ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିଷ୍ଣୋଇ ଭଲ ବନ୍ଧୁ ହୋଇଥିବାରୁ ଲରେନ୍ସଙ୍କ ସହାୟତାରେ ଗୋଲ୍ଡି ଏହି ହତ୍ୟାକାଣ୍ଡ ଘଟାଇଥିବା ପୁଲିସ ସନ୍ଦେହ କରୁଛି। ଏ‌ନେଇ ପୁଲିସ ଲରେନ୍ସ ବିଷ୍ଣୋଇକୁ ପଚରାଉଚରା ପାଇଁ ରିମାଣ୍ଡରେ ନେଇଛି।

ସମ୍ବନ୍ଧିତ ଖବର