ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସର ଜଣେ ସବ-ଇନ୍ସପେକ୍ଟରଙ୍କ ଆକାଉଣ୍ଟରୁ ଦୁର୍ବୃତ୍ତ ଟଙ୍କା ଉଠାଇ ନେବାର ଏକ ଘଟଣା ସାମ୍ନାକୁ ଆସିଛି। ଠକେଇର ଶିକାର ହୋଇଥିବା ଇନ୍ସପେକ୍ଟର ବାଲକିସନ୍ ଆଉଟର ଡିଷ୍ଟିକ୍ଟର କଣ୍ଟ୍ରୋଲ ରୁମ୍ରେ ନିୟୋଜିତ ଥିଲେ। ଆକାଉଣ୍ଟରୁ କେହି ଟଙ୍କା ଉଠାଇଥିବା ନେଇ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା। ଏହାପରେ ସେ ଏନେଇ ଥାନାରେ ମାମଲା ରୁଜୁ କରିଥିଲେ।
ଏସ୍ଆଇ ବାଲକିସନ୍ଙ୍କ କହିବାନୁସାରେ, ଶୁକ୍ରବାର ସେ କଣ୍ଟ୍ରୋଲ ରୁମ୍ରେ ତାଙ୍କ ଡିୟୁଟି କରୁଥିଲେ। ଏହି ସମୟରେ ଫୋନ୍କୁ ତାଙ୍କ ଆକାଉଣ୍ଟରୁ ଦିନ ୨.୧୭ଟାରୁ ୨.୫୦ ମଧ୍ୟରେ କେହି ୫୦ହଜାର ଟଙ୍କା ଉଠାଇ ନେଇଥିବାର ନୋଟିଫିକେସନ୍ ଆସିଥିଲା। ୫ଥର କରି ୧୦-୧୦ ହଜାର ଉଠାଇ ନେଇଥିଲେ ଦୁର୍ବୃତ୍ତ। ସେ ଏହି ମେସେଜ ଦେଖିବା ପରେ ସ୍ତବ୍ଧ ହୋଇଯାଇଥିଲେ। ସେହି ସମୟରେ ତାଙ୍କ ଏଟିଏମ୍ କାର୍ଡ ବି ତାଙ୍କ ପାଖରେ ହିଁ ଥିଲା।
ସବ୍ଇନ୍ସପେକ୍ଟରଙ୍କ କହିବାନୁସାରେ ଏହି ଠକେଇର ସୂଚନା ମିଳିବା ପରେ ସେ ପ୍ରଥମେ ପିସିଆରକୁ କଲ କରିଥିଲେ। ଏହାପରେ ରେହିଣୀ ସେକ୍ଟର ୧୫ସ୍ଥିତ ଆକ୍ସିସ୍ ବ୍ୟାଙ୍କ ସହିତ କଥା ହୋଇଥିଲେ। ବ୍ୟାଙ୍କ ମ୍ୟାନେଜର ତାଙ୍କ ଆକାଉଣ୍ଟ ଡିଟେଲ ଯାଞ୍ଚ କରି ଜାଣିବାକୁ ପାଇଥିଲେ ୫୦ହଜାର ଟଙ୍କା କାନପୁରରୁ ଉଠାଇ ଯାଇଥିଲା। ପୁଲିସ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି କାନପୁର ଯାଇ ଛାନ୍ଭିନ୍ ଆରମ୍ଭ କରିଛି।