ବିବାହ ପୂର୍ବରୁ ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସବ-ଇନ୍ସପେକ୍ଟର

ନୂଆଦିଲ୍ଲୀ: ଦିଲ୍ଲୀର ମୋହନ ଗାର୍ଡେନ ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ସବ-ଇନ୍ସପେକ୍ଟର ବିବାହ ପୂର୍ବରୁ ନିଜକୁ ନିଜେ ଗୁଳିମାରି ଆତ୍ମହତ୍ୟା କରିଛନ୍ତି। ମୃତ ସବ-ଇନ୍ସପେକ୍ଟରଙ୍କ ନାମ ଋତୁରାଜ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସବ-ଇନ୍ସପେକ୍ଟର ଋତୁରାଜର ଆଜି ସକାଳେ ନିଜକୁ ସର୍ଭିସ୍ ରିଭଲଭରରେ ଗୁଳି କରିଥିଲେ। ଏହି ଗୁଳିଚାଳନାରେ ସବ-ଇନ୍ସପେକ୍ଟରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

୨୬ ବର୍ଷୀୟ ଋତୁରାଜ ଦିଲ୍ଲୀର ପଶ୍ଚିମ ବିହାରରେ ପୋଷ୍ଟିଂ ପାଇଥିଲେ। ତେବେ ଦୁଃଖର ବିଷୟ ହେଉଛି ଆସନ୍ତା ନଭେମ୍ବର ୧୭ ତାରିଖରେ ତାଙ୍କର ବିବାହ ହୋଇଥାଆନ୍ତା। ଏଥିପାଇଁ ଘରେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିଲା। ଏସବୁ ଭିତରେ ଋତୁରାଜଙ୍କ ମୃତ୍ୟୁ ଖବର ଶୁଣିବା ପରେ ସବ-ଇନ୍ସପେକ୍ଟରଙ୍କର ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଥିଲା।

ସବ-ଇନ୍ସପେକ୍ଟର ଋତୁରାଜଙ୍କ ଆତ୍ମହତ୍ୟା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଋତୁରାଜ କାହିଁକି ଏଭଳି ପଦକ୍ଷେପ ନେଲେ ସେ ନେଇ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ମିଳି ପାରି ନ ଥିଲା।

ସମ୍ବନ୍ଧିତ ଖବର