ଜୀବନ ବଞ୍ଚାଇବା ପାଇଁ କାରର ବନେଟ୍ ଉପରକୁ ଚଢ଼ିଗଲେ ଟ୍ରାଫିକ ପୁଲିସ; ଚାଳକ ୪୦୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ

ନୂଆଦିଲ୍ଲୀ: କାର ଚାଳକ ଟ୍ରାଫିକ ପୁଲିସକୁ ଧକ୍କା ଦେବାର ଅନେକ ଘଟଣା ସାମ୍ନାକୁ ଆସିଥିବା ବେ‌ଳେ ନିକଟରେ ଦିଲ୍ଲୀ କ୍ୟାଣ୍ଟ ଅଞ୍ଚଳରେ କାର ଚଳାଉଥିବା ଜଣେ ଯୁବକ ଟ୍ରାଫିକ ପୁଲିସକୁ ଧକ୍କା ମାରି ଘଟଣାସ୍ଥଳରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି।

ଚାଳକ ଟ୍ରାଫିକ ପୁଲିସକୁ ଧକ୍କା ଦେଇ କାର ନେଇ ଫେରାର ହୋଇଯାଉଥିବା ବେଳେ ନିଜର ଜୀବନ ବଞ୍ଚାଇବାକୁ ଯାଇ ଟ୍ରାଫିକ କନଷ୍ଟେବଲ ଜଣକ ବିକଳରେ କାରର ବୋନେଟ୍‌ ଉପରକୁ ଚଢ଼ି ଯାଇଥିଲେ। ନିଷ୍ଠୁର କାର ଚାଳକ ଏସବୁ ପରେ ବି କାରକୁ ନ ଅଟକାଇ ସେଭଳି ଭାବେ ୪୦୦ ମିଟର ପର୍ଯ୍ୟନ୍ତ ଆଗକୁ ନେଇ ଯାଇଥିଲେ।

ଆଉ ବନେଟ ଉପରେ ସେଭଳି ଝୁଲି ରହିଥିଲେ ଟ୍ରାଫିକ ପୁଲିସ କର୍ମଚାରୀ । ପରେ ଲୋକମାନେ ଟ୍ରାଫିକ ପୁଲିସଙ୍କୁ ଉଦ୍ଧାର ପାଇଁ କାର ଚାଳକଙ୍କୁ ଅଟକାଇଥିଲେ। ପୁଲିସ କାର ଚାଳକଙ୍କୁ ଘଟଣାସ୍ଥଳରୁ କାବୁ କରି ନେଇଥିଲା।

ମହିପାଲ ସିଂହ ଦିଲ୍ଲୀ କ୍ୟାଣ୍ଟ ଟ୍ରାଫିକ ଅଞ୍ଚଳରେ ମୁତୟନ ଥିଲେ। ସୋମବାର ତାଙ୍କର ଡ୍ୟୁଟି ଧୌଲାକୁଆଁରେ ଥିଲା। ସନ୍ଧ୍ୟା ୫ଟାରେ ତିଳକ ନଗର ଅଭିମୁଖେ ଯାଉଥିବା ରାସ୍ତାରେ ଫେନ୍ସି ନମ୍ବର ପ୍ଲେଟ୍‌ ଆଇ ୨୦ କାର ଆସୁଥିବା ଦେଖି କନଷ୍ଟେବଲ ଅଟକାଇବାକୁ ଚେଷ୍ଟା କରିଥିଲେ। କାରକୁ ଉତ୍ତମ ନଗର ବାସିନ୍ଦା ୨୨ ବର୍ଷୀୟ ଶୁଭମ ଚଲାଉଥିଲେ। ତାଙ୍କ ସହିତ କାରରେ ଉତ୍ତମ ନଗର ନିବାସୀ ରାହୁଲ ଜୈନ ମଧ୍ୟ ଥିଲେ।

ସମ୍ବନ୍ଧିତ ଖବର