ଶ୍ରେଣୀରେ ଛାତ୍ରଙ୍କୁ ତାଗିଦ ମହଙ୍ଗା ପଡ଼ିଲା; ଶିକ୍ଷକଙ୍କୁ ଲୁହା ରଡରେ ପିଟିଲା ଛାତ୍ର

ନୂଆଦିଲ୍ଲୀ: ଦିଲ୍ଲୀର ରଣହୋଲା ଥାନା ଅଞ୍ଚଳରେ ଥିବା ବଏଜ ସିନିୟର ସେକେଣ୍ଡାରି ସରକାରୀ ସ୍କୁଲର ଜଣେ ଛାତ୍ର ଶିକ୍ଷକଙ୍କ ଉପରେ ଏକ ଲୁହାରଡରେ ଆକ୍ରମଣ କରିଥିବା ଘଟଣା ସାମ୍ନାକୁ ଆସିଛି। ଛାତ୍ରର ଏଭଳି ଆକ୍ରମଣରେ ଶିକ୍ଷକ ଜଣକ ଗୁରୁତର ହୋଇଥିବା ଜଣାପଡ଼ିଛି। ସ୍କୁଲର ଅଭିଯୋଗ ପରେ ଏହି ଘଟଣାରେ ସମ୍ପୃକ୍ତ ଛାତ୍ରକୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଛାତ୍ର ଏକାଦଶ ଶ୍ରେଣୀରେ ଦୁଇଥର ଫେଲ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗିରଫ ହୋଇଥିବା ୨୧ବର୍ଷୀୟ ଛାତ୍ର ଶ୍ରେଣୀଗୃହରେ ଶିକ୍ଷକ ଥିବା ସମୟରେ ପାଟିତୁଣ୍ଡ କରୁଥିଲେ। ଏହି ସମୟରେ ଶିକ୍ଷକ ତାଙ୍କୁ ପାଟିଚୁପ କରି ଠିକ ଭାବେ ଶ୍ରେଣୀଗୃହରେ ବସିବାକୁ କହିଥିଲେ। ଏଥିରେ ଛାତ୍ର ଜଣକ ରାଗି ଯାଇ କ୍ଲାସ ସରିବା ପରେ ଉକ୍ତ ଶିକ୍ଷକଙ୍କ ଉପରେ ଲୁହ ରଡରେ ମାଡ଼ କରିଥିଲା। ଉକ୍ତ ଛାତ୍ରକୁ ଏହି ଘଟଣାରେ ଗିରଫ କରାଯାଇ ୧୪ଦିନ ପାଇଁ ବିଚାରବିଭାଗୀୟ ହେପାଜତକୁ ନିଆଯାଇଛି।

ଡିଡିଏମଏ ଦ୍ବାରା ଜାରି ଆଦେଶ ମୁତାବକ, ଦିଲ୍ଲୀରେ ୮ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୫୦ ପ୍ରତିଶତ ପିଲାଙ୍କୁ ନେଇ ସ୍କୁଲ ଚାଲିଛି। ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ସ୍କୁଲ ଯିବା ଆରମ୍ଭ କରିଛନ୍ତି। ଏହି କ୍ରମରେ ରଣହୋଲା ଅଞ୍ଚଳରେ ଥିବା ସରକାରୀ ସ୍କୁଲରେ ଏହି ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧିତ ଖବର