ନୂଆଦିଲ୍ଲୀ: ହୋଟେଲ୍ରୁ ଗୋଟିଏ ‘ଥାଳି’ କିଣିଲେ ଆଉ ଗୋଟିଏ ‘ଥାଳି’ ମାଗଣା ପାଇବା ଆଶାରେ ‘ଆପ୍’ ଡାଉନ୍ଲୋଡ୍ କରିଥିବା ଦକ୍ଷିଣପଶ୍ଚିମ ଦିଲ୍ଲୀର ଜଣେ ୪୦ ବର୍ଷୀୟ ମହିଳା ୯୦ ହଜାର ଟଙ୍କା ହରାଇଛନ୍ତି।
ବ୍ୟାଙ୍କ୍ରେ ‘ସିନିୟର୍ ଏକ୍ଜିକ୍ୟୁଟିଭ୍’ ଭାବେ କାର୍ଯ୍ୟ କରୁଥିବା ସବିତା ଶର୍ମା ନାମକ ଉକ୍ତ ମହିଳା ସାଇବର୍ ଥାନାରେ ମଧ୍ୟ ‘ଏଫ୍ଆଇଆର୍’ ଦେଇଛନ୍ତି। ପୁଲିସକୁ ସେ କହିଛନ୍ତି ଯେ, ‘ଫେସ୍ବୁକ୍’ରେ ତାଙ୍କର ଜଣେ ସମ୍ପର୍କୀୟ ଏହି ‘ଅଫର୍’ ବିଷୟରେ ତାଙ୍କୁ ସୂଚନା ଦେଇଥିଲେ।
୨୦୨୨, ନଭେମ୍ବର ୨୭ରେ ସେ ଉକ୍ତ ‘ୱେବ୍ସାଇଟ୍’ ଭିଜିଟ୍ କରି ‘ଅଫର୍’ ବିଷୟରେ ଜାଣିବା ଲାଗି ସେଥିରେ ଦିଆଯାଇଥିବା ଟେଲିଫୋନ୍ ନମ୍ବରରେ ଯୋଗାଯୋଗ କରିଥିଲେ। ସେତେବେଳେ କେହି ତାଙ୍କ ଫୋନ୍ କଲ୍ ରିସିଭ୍ କରି ନ ଥିଲେ। କିନ୍ତୁ, ପରେ ‘କଲ୍ବ୍ୟାକ୍’ ପାଇଥିଲେ। ‘ସାଗର ରତ୍ନ’ ରେସ୍ତୋରାଁରୁ ଉକ୍ତ ଅଫର୍ ପାଇବା ଲାଗି ଫୋନ୍ କରିଥିବା ଉକ୍ତ ବ୍ୟକ୍ତି ତାଙ୍କୁ ସୂଚନା ଦେଇଥିଲେ ବୋଲି ମେ ୨ ତାରିଖରେ ପଞ୍ଜୀକୃତ କରିଥିବା ‘ଏଫ୍ଆଇଆର୍’ରେ ଶର୍ମା ଲେଖିଛନ୍ତି।
ଫୋନ୍ କରିଥିବା ବ୍ୟକ୍ତିଜଣକ ଶର୍ମାଙ୍କୁ ଏକ ‘ଲିଙ୍କ୍’ ସେୟାର୍ କରିବା ପରେ ‘ଅଫର୍’ ପାଇବା ପାଇଁ ଗୋଟାଏ ‘ଆପ୍’ ଡାଉନ୍ଲୋଡ୍ କରିବାକୁ କହିଥିଲେ। ଉକ୍ତ ‘ଆପ୍’କୁ ଆକ୍ସେସ୍ କରିବା ଲାଗି ଶର୍ମା ତାଙ୍କର ‘ୟୁଜର୍ ଆଇଡି’ ଓ ‘ପାସ୍ୱାର୍ଡ’ ପଠାଇଥିଲେ। ତା’ପରେ ଉକ୍ତ ବ୍ୟକ୍ତିଜଣକ ତାଙ୍କୁ କହିଥିଲେ କି, ‘ଅଫର୍’ ପାଇବାକୁ ହେଲେ ପ୍ରଥମେ ଏହି ‘ଆପ୍’ରେ ରେଜିଷ୍ଟ୍ରି କରିବାକୁ ପଡ଼ିବ।
ଗଣମାଧ୍ୟମକୁ ଶର୍ମା କହିଛନ୍ତି, ମୁଁ ଉକ୍ତ ‘ଲିଙ୍କ୍’କୁ କ୍ଲିକ୍ କରିବାରୁ ‘ଆପ୍’ ଡାଉନ୍ଲୋଡ୍ ହୋଇଗଲା। ତା’ପରେ ମୁଁ ୟୁଜର୍ ଆଇଡି ଓ ପାସ୍ୱାଡ୍ ଏଣ୍ଟର୍ କଲି। ଏହା କରିବା କ୍ଷଣି ମୁଁ ମୋ ଫୋନ୍ରୁ ନିୟନ୍ତ୍ରଣ ହରାଇଲି। ଫୋନ୍ ହ୍ୟାକ୍ ହୋଇଗଲା ଓ ମେସେଜ୍ ଆସିଲା ମୋ ଆକାଉଣ୍ଟ୍ରୁ ୪୦,୦୦୦ ଟଙ୍କା ଉଠାଯାଇଛି। ଅଳ୍ପ କିଛି ସମୟ ପରେ ପୁଣି ମେସେଜ୍ ଆସିଲା ଯେ, ଆକାଉଣ୍ଟରୁ ୫୦,୦୦୦ ଟଙ୍କା ଉଠାଣ ହେଲା। ମୁଁ ତୁରନ୍ତ ମୋର କ୍ରେଡିଟ୍ କାର୍ଡକୁ ବ୍ଲକ୍ କରିଦେଲି।
‘ରତ୍ନ ସାଗର’ ରେସ୍ତୋରାଁ ସହିତ ଯୋଗାଯୋଗ କରିବାରୁ ଏଭଳି ଅନେକ ଅଭିଯୋଗ ଗ୍ରାହକମାନଙ୍କ ଠାରୁ ପାଇଥିବା କଥା ସେମାନେ କହିଲେ। ସାଇବର୍ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।