ନୂଆଦିଲ୍ଲୀ : ଦିଲ୍ଲୀରେ ଘଟିଛି ଏକ ଅଭାବନୀୟ ଘଟଣା । ବିଶ୍ୱାସରେ ବିଷ ଦେଇ ସ୍ୱାମୀକୁ ମାରିଛି ସ୍ତ୍ରୀ। ତାନ୍ତ୍ରିକର ଉପଦେଶ ମାନି ସ୍ୱାମୀକୁ ବିଷ ଦେଇ ହତ୍ୟା କରିଥିବାରୁ ଅଭିଯୁକ୍ତ ସ୍ତ୍ରୀ କେଭି. ରାମ ଏବଂ ତାନ୍ତ୍ରିକ ଭଗତ ସିଂକୁ ଗିରଫ କରିଛି ପୁଲିସ । ମୃତକ ଜଣଙ୍କ ଡ଼ି ଶ୍ରୀ ନିବାସ ମୁର୍ଥୀ ବୋଲି ଚିହ୍ନଟ କରାଯାଇଛି ।
ସୂଚନା ଅନୁଯାୟୀ, ଫେବ୍ରୁଆରି ୨୬ରେ ରାମ ମନୋହାର ଲୋହିଆ ହସ୍ପିଟାଲକୁ ଜଣେ ବ୍ୟକ୍ତିଙ୍କୁ ବେହୋସ ଅବସ୍ଥାରେ ଡ଼ାକ୍ତରଖାନା ଅଣା ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ପୁଲିସକୁ ଖବର ମିଳିଥିଲା । ଏ ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ପୁଲିସ । ତଦନ୍ତ ସମୟରେ ମୃତ ଶ୍ରୀ ନିବାସ ମୁର୍ଥୀଙ୍କ ସ୍ତ୍ରୀ ଘରର ନମ୍ବର ଏବଂ ଠିକଣା ଭୁଲ ଦେଇଥିବାର ଜାଣିବା ପରେ ସିସିଟିଭି ଫୁଟେଜ ଚେକ୍ କରିଥିଲା ପୁଲିସ । ଫୁଟେଜରେ ଏକ ଅଜଣା କାର ଦେଖାଯିବା ପରେ କାର୍ର ନମ୍ବର ଦେଖି ଅଭିଯୁକ୍ତ ମହିଳାଙ୍କ ପାଖରେ ପୁଲିସ ପହଞ୍ଚିଥିଲା ।
ଦୀର୍ଘ ସମୟର ପଚରାଉଚରା ପରେ ତାନ୍ତ୍ରିକଙ୍କ ଉପଦେଶ ମାନି ସେ ତାଙ୍କ ସ୍ୱାମୀଙ୍କୁ ବିଷ ଦେଇ ମାରିଥିଲେ ବୋଲି ସ୍ୱୀକାର କରିଥିଲେ ଅଭିଯୁକ୍ତ ମହିଳା । ଏଥି ପାଇଁ ତାନ୍ତ୍ରିକ ଜଣଙ୍କ ତାଙ୍କୁ ବିଷ ଆଣି ଦେଇଥିଲେ ବୋଲି ମହିଳା ଜଣଙ୍କ ସ୍ୱୀକାର କରିଥିଲେ । ସେ କ'ଣ ପାଇଁ ଏପରି କଲେ ବୋଲି ପଚାରିବାରୁ ତାଙ୍କ ବୈବାହିକ ଜୀବନ ସୁଖମୟ ନ ଥିଲା ଏବଂ ତାଙ୍କ ସ୍ୱାମୀ ସବୁବେଳେ ମଦ ପିଇ ଘରେ ତାଙ୍କୁ ମାରପିଟ୍ କରୁଥିଲେ ବୋଲି ମହିଳା ଜଣଙ୍କ ଏପରି କରିଥିବା କହିଥିଲେ । ଅନ୍ୟ ପକ୍ଷରେ ଡ଼ି ଶ୍ରୀ ନିବାସ ମର୍ଥୀ ଜଣେ ଫାଇନାନ୍ସ କମ୍ପାନିରେ ମ୍ୟାନେଜର ଭାବେ କାମ କରୁଥିବା ବେଳେ ମହିଳା ଜଣଙ୍କ ଏକ ସରକାରୀ ଚାକିରି କରୁଥିଲେ ବୋଲି ଜଣା ପଡ଼ିଛି । ମହିଳାଙ୍କୁ ଆଇପିସି ଧାରା ୩୦୨,୧୨୦ବି ଏବଂ ୨୦୧ଅନୁଯାୟୀ ଗିରଫ କରାଯାଇଥିବା ଜଣା ପଡ଼ିଛି ।