ମୋବାଇଲ୍‌ ଫୋନ୍‌ ଦେବାରେ ବିଳମ୍ବ କରିବାରୁ ଫ୍ଲିପ୍‌କାର୍ଟ ଡ଼େଲିଭରି ବଏକୁ ୨୦ଥର ଛୁରୀ ଭୁସିଲେ ମହିଳା

ନୂଆଦିଲ୍ଲୀ : ଅଜିକାଲି ସବୁ ଜିନିଷ ଲୋକମାନେ ଅନ୍‌ଲାଇନ୍‌ କିିଣିବା ଆରମ୍ଭ କଲେଣି । ଖାଇବାଠାରୁ ଆରମ୍ଭ କରି ପିନ୍ଧିବା ଜିନିଷ ମଧ୍ୟ ଲୋକମାନେ ଅନ୍‌ଲାଇନ୍‌ କିଣୁଛନ୍ତି । ଯେଉଁ ଲୋକମାନେ ବାହାରକୁ ଯାଇ କିଣିବାକୁ ପସନ୍ଦ କରୁ ନାହାନ୍ତି, ସେମାନେ ପ୍ରାୟତଃ ଅନ୍‌ଲାଇନ୍‌ ସପିଂ କରିଥାଆନ୍ତି । କାରଣ ବିନା କଷ୍ଟରେ ଲୋକମାନଙ୍କୁ ଘରେ ମନପସନ୍ଦର ଜିନିଷ ମିଳି ଯାଇଥାଏ । ତେବେ ଜିନିଷ ମିଳିବା ପାଇଁ ଟିକେ ବିଳମ୍ବ ହେବାରୁ କେହି କେବେ କାହାର ହତ୍ୟା ଉଦ୍ୟମ କରିବା କଥା ଆପଣ ଭାବିଛନ୍ତି କି? ଆପଣ ଏ କଥାକୁ ଭାବି ପାରୁ ନଥିବା ବେଳେ ଦିଲ୍ଲୀରେ ସେଭଳି ଏକ ଘଟଣା ଘଟି ଯାଇଛି ।
ଜଣେ ମହିଳାଙ୍କୁ ଫ୍ଲିପ୍‌କାର୍ଟରୁ ମଗେଇଥିବା ଜିନିଷ ଠିକ୍‌ ସମୟରେ ନ ମିଳିବାରୁ ସେ ଡ଼େଲିଭରି ବଏଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ବିଳମ୍ବ ହେବାରୁ ସେ ଡ଼େଲିଭରି ବଏଙ୍କୁ୨୦ଥର ଛୁରୀ ଭୁସିବା ସହ ଚନ୍ଦନ ବିହାରରେ ଥିବା ଡ଼୍ରେନରେ ଫିଙ୍ଗି ଦେଇଥିବା ସୂଚନା ମିଳିଛି । ଏଥିରେ ମହିଳାଙ୍କ ଭାଇ ତାଙ୍କ ସାଥ୍‌ ଦେଇଥିବା ବେଳେ ଘଟଣାର ତଦନ୍ତ କରି ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।

indiatimes.com

ସୂଚନା ମୁତାବକ, କମଲ ଦୀପ୍‌ ନାମକ ଜଣେ ମହିଳା ମୋବାଇଲ ଫୋନ ଅର୍ଡ଼ର କରିଥିବା ବେଳେ କୌଣସି କାରଣରୁ ଜିନିଷ ଡ଼େଲିଭରି କରିବା ପାଇଁ କେଶବଙ୍କୁ ସମୟ ଲାଗିଥିଲା । ବିଳମ୍ବରେ ପହଞ୍ଚିବା ପରେ କମଲଙ୍କ ସହ କେଶବଙ୍କର ଝଗଡ଼ା ହୋଇଥିଲା । କିଛି ସମୟ ଝଗଡ଼ା ହେବା ପରେ କମଲ ଘରେ ଥିବା ଛୁରୀ ଆଣି ତାଙ୍କୁ ଆକ୍ରମଣ କରିଥିଲେ । ଏହା ପରେ କେଶବଙ୍କ ପାଖରେ ଥିବା ୪୦,୦୦୦ଟଙ୍କା ଚୋରି କରିବା ସହ ତାଙ୍କୁ ଏକ ଡ଼୍ରେନରେ ଫିଙ୍ଗି ଦେଇଥିଲେ । ସ୍ଥାନୀୟ ଲୋକେ କେଶବଙ୍କୁ ଉଦ୍ଧାର କରି ଡ଼ାକ୍ତରଖାନାରେ ଭର୍ତ୍ତି କରିବା ସହ ପୁଲିସକୁ ସୂଚନା ଦେଇଥିଲେ । କେଶବଙ୍କ ଚେତା ଫେରିବା ପରେ ସେ ପୁଲିସକୁ ପୂରା ଘଟଣା ଜଣାଇବା ସହ ପୁଲିସ ଘଟଣା ଘଟିଥିବା ଅଞ୍ଚଳର ସିସିଟିଭି ଚେକ୍‌ କରିଥିଲା । ଏହା ପରେ ପୂରା ଘଟଣା ସ୍ପଷ୍ଟ ହୋଇ ଯାଇଥିଲା । ତଦନ୍ତ ପରେ ପୁଲିସ ଉକ୍ତ ମହିଳା ଏବଂ ତାଙ୍କ ଭାଇଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର