ମୋବାଇଲ ଚୋରି କରି ବନ୍ଧା ହେଲା ଡେଲିଭରି ବଏ

ଭୁବନେଶ୍ୱର: ଘରକୁ ଘର ବୁଲି ଖାଇବା ଯୋଗାଉଥିବା ସଂସ୍ଥା ‘ଜମାଟୋ’ର ଜଣେ ଡେଲିଭରି ବଏ ମୋବାଇଲ ଚୋରି କରି ଗିରଫ ହୋଇଛି। ଅଭିଯୁକ୍ତ ହେଉଛି, ଶ୍ରୀଲିଙ୍ଗରାଜ ଥାନା କପିଳେଶ୍ବର କୁମ୍ଭାରସାହିର ପ୍ରକାଶ ରାଉତ। ଅଭିଯୁକ୍ତକୁ ଲକ୍ଷ୍ମୀସାଗର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଶାନ୍ତିନଗର ପ୍ଲଟ ନମ୍ବର ୬ରେ ରହୁଥିବା ରମେଶ ଅଗ୍ରୱାଲ ଜମାଟୋରୁ ଗତକାଲି ଖାଦ୍ୟ ମଗାଇଥିଲେ। ଅର୍ଡର ମୁତାବକ ପ୍ରକାଶ ଖାଦ୍ୟ ନେଇ ରମେଶଙ୍କ ଘରେ ପହଞ୍ଚାଇଥିଲେ। ତେବେ କୌଶଳକ୍ରମେ ରମେଶଙ୍କ ମୋବାଇଲ ନେଇ ଫେରାର୍‌ ହୋଇଯାଇଥିଲେ। ଏ ନେଇ ରମେଶ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ଜମାଟୋର ଡେଲିଭରି-ବଏ ଏହି ମୋବାଇଲ ନେଇ ଯାଇଥିବା ଅଭିଯୋଗପତ୍ରରେ ସେ ଉଲ୍ଲେଖ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ସିସିଟିଭି ଯାଞ୍ଚ ବେଳେ ପ୍ରକାଶ ମୋବାଇଲ ଚୋରି କରିଥିବା ପ୍ରମାଣ ମିଳିଥିଲା।

ସମ୍ବନ୍ଧିତ ଖବର