ନୂଆଦିଲ୍ଲୀ: ସମ୍ପତ୍ତି ଲୋଭ ସଜାଇଲା ହତ୍ୟାକାରୀ। ତେଲେଙ୍ଗାନାରେ ଜଣେ ମହିଳା ସମ୍ପତ୍ତି ପାଇଁ ନିଜ ଦ୍ବିତୀୟ ସ୍ବାମୀକୁ ହତ୍ୟା କରିଛନ୍ତି। ପ୍ରେମିକ ସହ ମିଶି ସେ ଏହି ଅପରାଧ କରିଥିବା ବେଳେ ଏବେ ତାଙ୍କୁ ଗିରଫ କରିଛି ପୁଲିସ। ଏହି ହତ୍ୟାକାଣ୍ଡରେ ଅନ୍ୟ ଜଣେ ଯୁବକ ମଧ୍ୟ ସାମିଲ ଥିଲେ, ଯାହାଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ନିହାରିକା, ନିଖିଲ ଓ ଅଙ୍କୁର। ମୃତ ବ୍ୟବସାୟୀଜଣକ ହେଲେ ରମେଶ।
ପୁଲିସର କହିବା ମୁତାବକ, ନିହାରିକାଙ୍କୁ ୧୬ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ତାଙ୍କ ମା’ ଦ୍ବିତୀୟ ବିବାହ କରିଥିଲେ। ଛୋଟବେଳୁ ଅବହେଳିତ ହୋଇଥିବା ନିହାରିକା ପାଠ ପଢ଼ାରେ ଭଲ ଥିବାରୁ ଇଞ୍ଜିନିୟରିଂ କରି ଚାକିରି କରିଥିଲେ। ଏମଧ୍ୟରେ ତାଙ୍କର ବିବାହ ହୋଇଥିଲା ଏବଂ ସେ ମା’ ବନିଥିଲେ। ହେଲେ ସ୍ବାମୀଙ୍କ ସହ ନପଡ଼ିବାରୁ ସେ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇଥିଲେ। ଏକା ରହିବା ପରେ ନିହାରିକା ଏକ ଅର୍ଥ ହେରଫେର ମାମଲାରେ ଜେଲ ଯାଇଥିଲେ, ଯେଉଁଠାରେ ତାଙ୍କର ଦେଖା ଅଙ୍କୁରଙ୍କ ସହ ହୋଇଥିଲା। ଜାମିନ ମିଳିବା ପରେ ନିହାରିକା ବାହାରକୁ ଆସି ରମେଶଙ୍କୁ ଦ୍ବିତୀୟ ବିବାହ କରିଥିଲେ। ରମେଶ ବ୍ୟବସାୟୀ ହୋଇଥିବାରୁ ନିହାରିକାଙ୍କ ସବୁ ଇଚ୍ଛା ପୂରଣ କରୁଥିଲେ। ରମେଶଙ୍କ ସହ କିଛି ବର୍ଷ ରହିବା ପରେ ନିଖିଲଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ନିହାରିକା। ଏମଧ୍ୟରେ କୌଣସି କାମ ପାଇଁ ନିହାରିକା, ରମେଶଙ୍କୁ ୮କୋଟି ମାଗିବାରୁ ସେ ଏତେ ଟଙ୍କା ଦେବାକୁ ମନା କରିଦେଇଥିଲେ। ଏଥିରେ ରାଗିଯାଇ ନିହାରିକା ନିଜ ଦ୍ବିତୀୟ ସ୍ବାମୀଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିରେ ତାଙ୍କର ସାଥ୍ ଦେଇଥିଲେ ନିଖିଲ ଓ ଅଙ୍କୁର। ରମେଶଙ୍କ ମୃତ୍ୟୁ ପରେ ସବୁ ସମ୍ପତ୍ତି ତାଙ୍କର ହେବ ବୋଲି ଭାବି ସେ ରମେଶଙ୍କୁ ହତ୍ୟା କରିଥିଲେ ବି ଏବେ ୩ଜଣକୁ ଜେଲ ଯିବାକୁ ପଡ଼ିଛି।
ହତ୍ୟା କିଭଳି କରିଥିଲେ ସେ ବିଷୟରେ ଜଣାଇ ପୁଲିସ କହିଛି ଯେ, ପ୍ରଥମେ ହାଇଦ୍ରାବାଦର ଉପ୍ପଲରେ ରମେଶଙ୍କ ଗଳା ଚିପି ତାଙ୍କୁ ହତ୍ୟା କରିବା ପରେ ୮୦୦କିମି ଦୂରରେ ଥିବା କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ମୃତଦେହକୁ ପୋଡ଼ିଥିଲେ ୩ଅଭିଯୁକ୍ତ। ଏହା ପରେ ନିହାରିକା ପୁଲିସରେ ରମେଶ ନିଖୋଜ ଥିବା ନେଇ ଏତଲା ଦେଇଥିଲେ। ଏତଲା ପାଇ ପୁଲିସ ଯାଞ୍ଚ କରିବା ପରେ ନିହାରିକାଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା। ଏନେଇ ତାଙ୍କୁ ପଚରାଉଚରା କରାଯିବା ପରେ ସେ ନିଜର ଦୋଷ ସ୍ବୀକାର କରିଥିଲେ ଏବଂ ନିଜ ୨ସହଯୋଗୀଙ୍କ ନାମ କହିଥିଲେ। ଏବେ ୩ଜଣଙ୍କୁ ଗିରଫ କରାଯାଇଛି।