ଲକ୍ଷ୍ନୌ: ଜମି ବିବାଦ ପାଇଁ ଶେଷ ହେଲା ପୂରା ପରିବାର। ୨୦୧୪ରୁ ଆରମ୍ଭ ହୋଇଥିବା ବିବାଦ ଏବେ ହତ୍ୟାରେ ଶେଷ ହୋଇଛି। ଗୋଟିଏ କି ୨ଟି ନୁହେଁ ଏକା ସାଙ୍ଗରେ ପରିବାରର ୬ଜଣ ସଦସ୍ୟଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଶାଶୁ ଘରେ ଥିବା ପରିବାରର ବଡ଼ ଝିଅ ଏବେ ପୂରା ଘଟଣା ଜଣାଇ ନ୍ୟାୟ ଭିକ୍ଷା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲକୁ ହଜାରେ ଥର ଚିଠି ଲେଖି ସମସ୍ୟା ଜଣାଇବା ପରେ ବି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ଆଜି ତାଙ୍କ ପରିବାର ତାଙ୍କ ସହ ନଥିବା କହିଛନ୍ତି ଶୋଭିତା। ଘଟଣାଟି ଘଟିଛି ଉତ୍ତରପ୍ରଦେଶର ଦେବରିଆରେ।

Advertisment

ଅକ୍ଟୋବର ୨ରେ ପୂର୍ବତନ ଜିଲ୍ଲା ପଞ୍ଚାୟତ ସଚିବ ପ୍ରେମଚନ୍ଦ୍ର ଯାଦବଙ୍କ ଗ୍ୟାଙ୍ଗ ଶୋଭିତାଙ୍କ ପୂରା ପରିବାରକୁ ଶେଷ କରିଦେଇଥିଲେ। ଶୋଭିତାଙ୍କ କହିବା ମୁତାବକ, ୨୦୧୪ରେ ମୋର ଦାଦା ଜ୍ଞାନ ପ୍ରକାଶ ଦୁବେଙ୍କୁ ପ୍ରେମଚନ୍ଦ୍ରଙ୍କ ଗ୍ୟାଙ୍ଗ ଅପହରଣ କରିନେଇ ସବୁ ଜମିକୁ ନିଜ ନାମରେ କରିଦେଇଥିଲେ। ଏହା ପରେ ମୋ ବାପା ସତ୍ୟପ୍ରକାଶ ଦୁବେ ଏ ନେଇ କୋର୍ଟରେ ଏକ ମାମଲା ଦାୟର କରିଥିଲେ। ସେହି ଦିନଠାରୁ ସେମାନେ ଆମ ପରିବାରକୁ ଶେଷ କରିବାକୁ ଯୋଜନା କରୁଥିଲେ। ତହସିଲଦାରଙ୍କଠାରୁ ଆରମ୍ଭ କରି ଏସଡିଏମ ପର୍ଯ୍ୟନ୍ତ ସମସ୍ତେ ପ୍ରେମଚନ୍ଦ୍ର ସହ ମିଶିଥିବାରୁ ଆମକୁ କେହି ସମର୍ଥନ କରୁନଥିଲେ। ଆମ ପରିବାରକୁ ହତ୍ୟା ଧମକ ମିଳୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପୋର୍ଟାଲକୁ ହଜାରେ ଥର ଚିଠି ଲେଖି ଆମେ ଆମ ସମସ୍ୟା ଜଣାଇଥିଲୁ। ହେଲେ କିଛି ଲାଭ ମିଳିନଥିଲା। ୨୦୧୪ରୁ ମାମଲାର ଶୁଣାଣି ଚାଲି ଆସୁଥିବା ବେଳେ ଅକ୍ଟୋବର ୨ରେ ମଧ୍ୟ ଶୁଣାଣି ଥିଲା। ହେଲେ ଏହା ପୂର୍ବରୁ ପ୍ରେମଚନ୍ଦ୍ରର ଗ୍ୟାଙ୍ଗ ମୋ ବାପା, ମା’, ୨ଭାଇ ଓ ଜ‌ଣେ ଭଉଣୀକୁ ହତ୍ୟା କରିଦେଲେ। ଏ‌ବେ ଏହି ହତ୍ୟା ପାଇଁ ଦାୟୀ ସମସ୍ତ ଅଭିଯୁକ୍ତଙ୍କୁ କଡ଼ା ଦଣ୍ଡ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି।

ତେବେ ଶୋଭିତାଙ୍କ ଅଭିଯୋଗ ପରେ ଏହି ଘଟଣାରେ ସାମିଲ ଥିବା ୫୦ରୁ ଅଧିକ ଲୋକଙ୍କ ମଧ୍ୟରୁ ଏବେ ୨୭ଜଣଙ୍କୁ ଚିହ୍ନଟ କରାଯାଇଛି ଓ ୧୪ଜଣଙ୍କୁ ହେପାଜତକୁ ନିଆଯାଇଛି।