ସଇତାନ ଶ୍ୱଶୁର: ବୋହୂ ସହ ଦୁଷ୍କର୍ମ ପରେ କିରୋସିନ୍‌ ଢାଳି ଲଗାଇଲା ନିଆଁ

‘ଆଜି ଠୁଁ ୟେ ତୋ ବାପା’। ଶ୍ୱଶୁର ହାତରେ ସମର୍ପି ଦେଲାବେଳେ କାନ୍ଦି କାନ୍ଦି ଛାତିରେ ଲୋଟି ପଡ଼ିଥିବା ଅଲିଅଳି ଝିଅ ଶିବାଙ୍ଗୀକୁ ବୋଧ ଦେଇଥିଲେ ବାପା। ଶ୍ୱଶୁର ବି ଶିବାଙ୍ଗୀ ମୁଣ୍ଡରେ ସ୍ନେହସ୍ପର୍ଶ ଦେଇଥିଲେ। ତରଳି ଯାଇଥିଲେ ଶିବାଙ୍ଗୀ। ନିୟତିର ନିର୍ଦ୍ଦେଶରେ ବାପ ଘର ଛାଡୁଥିଲେ ବି ଆଉ ଜଣେ ବାପାଙ୍କ ସ୍ନେହ ତାକୁ ଜଗି ବସିଛି ଜାଣି ମନକୁ ବୁଝାଇ ଦେଇଥିଲେ। ଶ୍ୱଶୂର ଘରେ ପାଦ ଦେବା ପରେ ଶିବାଙ୍ଗୀ ଖୁସିରେ ଫାଟି ପଡ଼ିଥିଲେ। ରାଜପ୍ରାସାଦ ଭଳି ଘର, ଦାସୀ ପୋଇଲି ଯାହାକୁ ଯେତେ। ଯୁବରାଣୀ ଭଳି ଜୀବନ ଜିଇଁବା ସ୍ୱପ୍ନରେ ସେ କୁରୁଳି ଉଠିଥିଲେ। ହେଲେ ବାପରୂପୀ ଶ୍ୱଶୁର ଯେ ପାପୀ ସଇତାନ ଥିଲା ସେ କଥା ମାଲୁମ୍‌ ନଥିଲା ତାଙ୍କୁ। ସ୍ନେହ ଲୋଡୁଥିବା ଶିବାଙ୍ଗୀ ପ୍ରତି ଶ୍ୱଶୁର ମନରେ ଯେ ଶାଗୁଣାର ଲୋଲୁପତା ଛପି ରହିଛି ସେ ଅବା କାହୁଁ ଜାଣିଥାନ୍ତେ। ଯେତେବେଳେ ଜାଣିଲେ ତାଙ୍କ ଦେହର ରକ୍ତ ପାଣି ହୋଇ ଯାଇଥିଲା ଯେମିତି। ପାଦ ତଳୁ ମାଟି ଖସି ଯାଇଥିଲା। ଆଉ ଶେଷକୁ ସଇତାନ ଶ୍ୱଶୁରର ପାପ ପଞ୍ଝାରୁ ମୁକୁଳିବାର ବାଟ ଖୋଜୁଥିବା ବେଳେ ଶିବାଙ୍ଗୀଙ୍କ ପ୍ରାଣ ଚାଲି ଯାଇଥିଲା। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ସଇତାନ ଶ୍ୱଶୁର ଘଟାଇଥିବା ଏଭଳି ଲୋମହର୍ଷକ କାହାଣୀ ଏବେ ସାରା ରାଇଜରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଚଳିତ ଜାନୁଆରୀ ମାସର ୧୨ ତାରିଖର କଥା। ବଡ଼ଗାଁ ସ୍ଥିତ ବାପ ଘରକୁ ରାଇରଙ୍ଗପୁର ଶ୍ୱଶୁର ଘରୁ ଖବର ଆସିଲା ଗିଜର୍‌ ଫାଟି ଶିବାଙ୍ଗୀ ପୋଡ଼ି ଯାଇଛି। ଏବେ ସେ ଜାମସେଦପୁର ଟାଟା ମେମୋରିଆଲ ହସ୍ପିଟାଲରେ। କାନ୍ଦବୋବାଳି ପଡ଼ି ଯାଇଥିଲା ଘରେ। ବାପା ଦିଲୀପ ଅଗ୍ରଓ୍ଵାଲ ଓ ପରିବାର ଲୋକେ ଛୁଟି ଯାଇଥିଲେ ଜାମସେଦପୁର। ସେଇଠି ମୁମୂର୍ଷୁ ଶିବାଙ୍ଗୀ ମୁହଁରୁ ଯାହା ଶୁଣିଲେ, ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ। ଶ୍ୱଶୁର ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିବା ପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏହା ଶୁଣିବା ପରେ ତାତି ଉଠିଥିଲେ ବାପା, ମା ଓ ପରିବାର। ତୁରନ୍ତ ଜାମସେଦପୁର ସହର ସ୍ଥିତ ବିଷ୍ଣୁପୁର ପୁଲିସକୁ ଖବର ଦିଆଯାଇଥିଲା। ଏପଟେ ସ୍ୱାମୀ, ଶାଶୂ ଓ ନଣନ୍ଦ ଶିବାଙ୍ଗୀଙ୍କ ୫ ମାସର ପୁଅକୁ ନେଇ ଜଣକ ପରେ ଜଣେ ଡାକ୍ତରଖାନାରୁ ଖସି ପଳାଇଲେ। ପୁଲିସ ଆସି କେବଳ ଜହ୍ଲାଦ ଶ୍ୱଶୁରକୁ ଥାନାକୁ ନେଇ ଯାଇଥିଲା। ଏପଟେ ମରଣ ସହ ଦୀର୍ଘ ୪୨ ଘଣ୍ଟାର ସଂଗ୍ରାମ ପରେ ୧୩ ତାରିଖ ରାତି ୧୧ଟା ୫୫ ମିନିଟରେ ଆଖି ବୁଜି ଦେଇଥିଲେ ଶିବାଙ୍ଗୀ। ଶିବାଙ୍ଗୀଙ୍କ ଏଭଳି ନିର୍ମମ ହତ୍ୟା ଉଭୟ ରାଇରଙ୍ଗପୁର ଓ ବଡ଼ଗାଁରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି।


ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁର ଶିବାଙ୍ଗୀ ଦେଖିବାକୁ ଯେତିକି ସୁନ୍ଦରୀ, ସେତିକି ଖୁସି ମିଜାଜର ବି ଥିଲେ। ତା’ର ଏହି ଗୁଣ ଟିକକ ନିମିଷକେ ସମସ୍ତଙ୍କୁ ଆପଣାର କରିନେଉଥିଲା। ବାପା ବ୍ୟବସାୟୀ ଦିଲୀପ ଅଗ୍ରଓ୍ଵାଲଙ୍କ ଗୋଟିଏ ବୋଲି ଝିଅ ହୋଇଥିବାରୁ ପରିବାରରେ ସେ ବେଶ ଅଲିଅଳି ଥିଲା। କୌଣସି ରାଜକୁମାର ହାତରେ ହିଁ ସେ ଝିଅକୁ ଦେବେ ବୋଲି ମନସ୍ଥ କରିଥିଲେ। ଏହା ଭିତରେ ସଂଯୋଗ କ୍ରମେ ରାଇରଙ୍ଗପୁର ଧରମଗଳି (ପିଛିଲଘାଟି ବସ୍ତି) ଓ୍ଵାର୍ଡନଂ ୬ର ବିଶିଷ୍ଟ ବିଲ୍‌ଡର୍‌ ରାମଗୋପାଳ ଖେମ୍‌କାଙ୍କ ପୁଅ ଅବିନାଶ ଖେମ୍‌କାଙ୍କ ସହ ବିବାହ ପ୍ରସ୍ତାବ ପଡ଼ିଥିଲା। ବଡ଼ ଦାମୀ ପରିବାର ହୋଇ ଥିବାରୁ ଝିଅ ସୁଖରେ ରହିବ ବୋଲି ବାପା ଦିଲୀପ ତୁରନ୍ତ ହଁ କରି ଦେଇଥିଲେ। ୨୦୧୪ ଏପ୍ରିଲ ୨୮ରେ ରାଜକୀୟ ଢଙ୍ଗରେ ତାଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଶ୍ୱଶୁରଙ୍କ ରାଜୋପମ ପ୍ରାସାଦରେ ସ୍ୱାମୀ, ଶ୍ୱଶୁର, ଶାଶୂ, ନଣନ୍ଦକୁ ନେଇ ବେଶ ଖୁସିରେ ଶିବାଙ୍ଗୀଙ୍କ କିଛି ଦିନ କଟିଥିଲା। ଏପଟେ ଶ୍ୱଶୁର କିନ୍ତୁ ଭିନ୍ନ ନଜରରେ ଶିବାଙ୍ଗୀକୁ ଦେଖୁଥିଲେ। ଏ କଥା ଜଣା ନ ଥିଲା ଶିବାଙ୍ଗୀକୁ। ବହୁ ସମୟରେ ବ୍ୟବସାୟ କାମରେ ସ୍ୱାମୀ ଅବିନାଶ ବାହାରକୁ ଯାଉଥିବାରୁ ଶ୍ୱଶୁର ଏହାର ସୁଯୋଗ ନେବାକୁ ସ୍ଥିର କରିଥିଲେ। ଦିନେ ସ୍ୱାମୀ ବାହାରକୁ ଯାଇଥିବା ଓ ଶାଶୂ, ନଣନ୍ଦ ମନ୍ଦିର ଯାଇଥିବା ବେଳେ ଶ୍ୱଶୁର ରାମଗୋପାଳ ଜବରଦସ୍ତି ଶିବାଙ୍ଗୀଙ୍କୁ ଦୁଷ୍କର୍ମ କରିଥିଲେ। ଶ୍ୱଶୁରଙ୍କ ଏଭଳି କୁକର୍ମ ତାଙ୍କୁ ହତବମ୍ଭ କରିଥିଲା। ଲାଜ ଓ ଭୟରେ କାହାକୁ କିଛି କହି ପାରି ନଥିଲେ ସେ। ହେଲେ କିଛି ଦିନ ଅନ୍ତରରେ ପୁଣି ଘଟଣାର ପୁନରାବୃତ୍ତି ହେବାରୁ ଶିବାଙ୍ଗୀ ବାଧ୍ୟ ହୋଇ ଶାଶୂ ସୁନିତାଙ୍କୁ କହିଥିଲେ। ହେଲେ ଶାଶୂ ଚୁପ୍‌ ରହିଥିଲେ। ଏହା ପରେ ଶ୍ୱଶୁରଙ୍କ ଠାରୁ ଦୂରେଇ ରହିବାକୁ ଚେଷ୍ଟା କରିଥିଲେ ବି ବର୍ତ୍ତି ପାରି ନଥିଲେ ଶିବାଙ୍ଗୀ। ଇତିମଧ୍ୟରେ ତାଙ୍କ କୋଳକୁ ପୁତ୍ର ସନ୍ତାନଟେ ଆସିଲା। ହେଲେ ଶ୍ୱଶୁରଙ୍କ କାମନା ପିପାସା ବଢ଼ି ବଢ଼ି ଚାଲିଥିଲା। ଅତିଷ୍ଠ ଶିବାଙ୍ଗୀ ଶେଷକୁ ସ୍ୱାମୀ ଅବିନାଶଙ୍କୁ ଫୋନ୍‌ରେ ଚାଟିଂ କରି ସବୁ ଘଟଣା ଜଣାଇ ଦେଇଥିଲେ। ହେଲେ ସ୍ୱାମୀ ବିଶେଷ କିଛି ପ୍ରତିକ୍ରିୟା ପ୍ରକାଶ କରି ନଥିଲେ। ଓଲଟା ପୁଅ କାହା ଔରସର ବୋଲି କଟୁକ୍ତି କରିଥିଲେ। ସ୍ୱାମୀଙ୍କ ଆଚରଣରେ ଶିବାଙ୍ଗୀ ପୂରା ଭାଙ୍ଗି ପଡ଼ିଥିଲେ। ଘଟଣାର ମାତ୍ର କିଛି ଦିନ ଆଗରୁ ପରିବାରର ସମସ୍ତଙ୍କୁ ୩ ଦିନ ପାଇଁ ହାଇଦ୍ରାବାଦ ପଠାଇ ଦେଇ ଶ୍ୱଶୂର ଶିବାଙ୍ଗୀ ଠାରେ ବାରମ୍ବାର ନିଜ କାମ ପିପାସା ମେଣ୍ଟାଇଥିଲେ। ଶେଷକୁ ଗତ ଜାନୁଆରି ୧୧ରେ ଶିବାଙ୍ଗୀ ବଡ଼ଗାଁରେ ରହୁଥିବା ନିଜ ମାଈଁଙ୍କୁ ଏସ୍‌ଏମ୍‌ଏସ୍‌ କରି ସବୁ କଥା ଜଣାଇ ଦେଇଥିଲେ। ଏହା ଜାଣି ପାରି ଉତ୍‌କ୍ଷିପ୍ତ ଶ୍ୱଶୁର ରାମଗୋପାଳ ତାଙ୍କୁ ମାରିଦେବାକୁ ଯୋଜନା କରିଥିଲେ। ୧୨ ତାରିଖ ରାତିରେ ଶେଷ ଥର ପାଇଁ ପୁଣି ନିଜ କାମ ପିପାସା ମେଣ୍ଟାଇବା ପରେ ରାମଗୋପାଳ ଶିବାଙ୍ଗୀ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏପରିକି ସ୍ୱାମୀ ଅବିନାଶ, ଶାଶୂ ସୁନିତା ଓ ନଣନ୍ଦ ପାୟଲ ମଧ୍ୟ ରାମଗୋପାଳଙ୍କୁ ସମର୍ଥନ କରି ଶିବାଙ୍ଗୀକୁ ଜାଳି ଦେବାରେ ସହଯୋଗ କରିଥିଲେ। ଏହା ପରେ ଘଟଣାକୁ ଭିନ୍ନ ରୂପ ଦେବା ପାଇଁ ଗିଜର୍‌ ବିସ୍ଫୋରଣ କଥା ଉଠାଇଥିଲେ ଶ୍ୱଶୂର। ପ୍ରଥମେ ମୁମୂର୍ଷୁ ଶିବାଙ୍ଗୀଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ପରେ ତାଙ୍କ ଜାମସେଦପୁର ନିଆଯାଇଥିଲା। ସେଠାରେ ଶିବାଙ୍ଗୀଙ୍କ ମୃତ୍ୟୁ ହୋଇ ଯାଇଥିଲା। ଏହା ପରେ ୧୫ରେ ରାଇରଙ୍ଗପୁର ମାରଓ୍ଵାଡ଼ି ସମାଜ ଏକ କ୍ୟାଣ୍ଡେଲ ରାଲି କରି ଘଟଣାର କଡ଼ା ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡ ଦାବି କରିଛନ୍ତି। ବାପା ଦିଲୀପ ରାଇରଙ୍ଗପୁର ଥାନାରେ ଏତଲା ଦେବା ପରେ ରାଇରଙ୍ଗପୁର ଏସ୍‌ପି ଅଶୋକ କୁମାର ପଟ୍ଟନାୟକ ମାମଲାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ ତ୍ୱରାନ୍ଵିତ କରିଥିଲେ। ଟାଉନଥାନାରେ ଦଫା ୩୭୬, ୩୦୨, ୫୦୬ ଓ ୩୪ରେ ମାମଲା ରୁଜୁ କରି ଥାନାଧିକାରୀ ପ୍ରଦୀପ ମାଝି ରାମଗୋପାଳକୁ ଗିରଫ କରିଥିଲେ। ତାକୁ ରାଇରଙ୍ଗପୁର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିବା ବେଳେ କୋର୍ଟ ଜାମିନ ନାମଞ୍ଜୁର କରି ତାକୁ ଜେଲ୍‌କୁ ପଠାଇ ଦେଇଛନ୍ତି। ଅନ୍ୟପଟେ ଜାମସେଦପୁର ଟାଟା ମେମୋରିଆଲ ହସ୍ପିଟାଲରୁ ୫ ମାସର ପୁଅକୁ ନେଇ ଚମ୍ପଟ ମାରିଥିଲେ ସ୍ୱାମୀ ଅବିନାଶ, ଶାଶୂ ସୁନିତା ଓ ନଣନ୍ଦ ପାୟଲ। ଇତିମଧ୍ୟରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ଖେମକା ହାଉସ୍‌ରେ ଚଢ଼ଉ କରି ତଦନ୍ତ କରିବା ପରେ ବିଶାଳ ପ୍ରାସାଦକୁ ସିଲ୍‌ କରି ଦେଇଛି ଏବଂ ଅବିନାଶ ମଧ୍ୟ ଗିରଫ ହୋଇଛନ୍ତି।
ଅଲିଅଳି ଝିଅର ଏଭଳି ନିର୍ମମ ମୃତ୍ୟୁରେ ଭାଙ୍ଗି ପଡ଼ିଥିବା ବାପାମା ଶ୍ୱଶୂର ଓ ଅନ୍ୟ ଦୋଷୀମାନଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି। ଶ୍ୱଶୂରଙ୍କ ସଇତାନୀରେ ଶିବାଙ୍ଗୀ ଭଳି ଜଣେ ସୁନାନାକୀ ବୋହୂ ବଳି ପଡ଼ିବାଟା ସଭ୍ୟ ସମାଜରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର