ଭୁବନେଶ୍ବର: ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କୁ ଆଜି ସନ୍ଧ୍ୟାରେ ଯାଜପୁର ଟାଉନ୍ ଥାନା ଅଧୀନ ବୁଢ଼ାଘାଟ ନିକଟରେ ଆକ୍ରମଣ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯାଜପୁରରେ ଆୟୋଜିତ ଏକ ବୈଠକରେ ଯୋଗ ଦେବା ପାଇଁ ଯାଉଥିବା ବେଳେ ଶ୍ରୀ ସାହୁଙ୍କୁ ଆକ୍ରମଣ କରାଯାଇଥିବା ନେଇ ବିଧାୟକ ନିଜେ କହିଛନ୍ତି। ସେ କହିଛନ୍ତି ଯେ, ପୂର୍ବତନ ବିଧାୟକ ବବି ଦାସଙ୍କ ସମର୍ଥକଙ୍କ ଦ୍ବାରା ଏହି ଆକ୍ରମଣ କରାଯାଇଛି।
ଆକ୍ରମଣର ଶିକାର ହୋଇଥିବା ବିଧାୟକ ଶ୍ରୀ ସାହୁ ଗଣମାଧ୍ୟମକୁ କହିଛନ୍ତି, ଡିଡିଏମ୍ଙ୍କ କାର୍ଯ୍ୟାଳୟରେ ଏକ ବୈଠକ ହେବାର ଥିଲା। ଏହି ବୈଠକକୁ ଯିବା ସମୟରେ ମୋତେ ବୁଢ଼ାଘାଟ ନିକଟରେ ଆକ୍ରମଣ ହୋଇଛି। ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ସମର୍ଥକମାନେ ଏହି ଆକ୍ରମଣ କରିଛନ୍ତି। ସେମାନେ ପୂର୍ବରୁ ଆକ୍ରମଣ ପାଇଁ ପ୍ରସ୍ତୁତି କରିଥିଲେ। ସେଥିପାଇଁ ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ।
ବବି ଦାସଙ୍କ ଲୋକେ ମୋତେ ଆକ୍ରମଣ କରିଛନ୍ତି। ସେମାନେ ଜୀବନରୁ ମାରିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ରାସ୍ତାରୁ ସଫା କରିବାକୁ ଉଦ୍ୟମ କରିଥିଲେ।
-ହିମାଂଶୁ ସାହୁ, ଧର୍ମଶାଳା ବିଧାୟକ
ତେବେ ଏହି ଆକ୍ରମଣ ଯୋଗୁଁ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖାଯାଇଛି। ବ୍ୟାପକ ଭଙ୍ଗାରୁଜା ହୋଇଛି। ମୁହାଁମୁହିଁ ପରିସ୍ଥିତି ଯୋଗୁଁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି। ବିଧାୟକ ଶ୍ରୀ ସାହୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଫସି ରହିଛନ୍ତି। ପରିସ୍ଥିତି ସ୍ବାଭାବିକ କରିବା ପାଇଁ ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଅଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)