ଜୁନ୍‌ ମାସରେ ପୂର୍ବତନ ପତ୍ନୀଙ୍କୁ ହତ୍ୟା କରି ସୋସିଆଲ୍‌ ମିଡିଆରେ ତାଙ୍କୁ ସାତ ମାସ ବଞ୍ଚାଇ ରଖିଥିଲେ ଡାକ୍ତର

ଗୋରଖପୁର: ଗୋରଖପୁରର ସୁପରିଚିତ ସର୍ଜନ୍‌ ଡାକ୍ତର ଧର୍ମେନ୍ଦ୍ର ପ୍ରତାପ ସିଂହ ତାଙ୍କ ପୂର୍ବତନ ପତ୍ନୀ ରାଖୀ ଶ୍ରୀବାସ୍ତବ ଓରଫ୍‌ ରାଜେଶ୍ୱରୀଙ୍କୁ ନେପାଳର ପୋଖରା ଠାରେ ଏକ ତୀଖା ପାହାଡ଼ରୁ ତଳକୁ ଠେଲି ମାରି ପକାଇଛନ୍ତି ବୋଲି ଅଭିଯୋଗ ହେଉଥିବା ବେଳେ ସେ (ପତ୍ନୀ) ଆସାମରେ ଅଛନ୍ତି ବୋଲି ସାତ ମାସ ଯାଏଁ ସମସ୍ତଙ୍କୁ ଭୂତେଇବାକୁ ଗୋଟାଏ କୌଶଳ ଅବଲମ୍ବନ କରିଥିଲେ। ତାହା ହେଉଛି ସେ ପତ୍ନୀଙ୍କର ସାମାଜିକ ଗଣମାଧ୍ୟ ଆକାଉଣ୍ଟ୍‌ ଅପ୍‌ଡେଟ୍‌ କରି ଚାଲିଥିଲେ।

ଡାକ୍ତର ଏବଂ ତାଙ୍କ ଦୁଇ ସହଯୋଗୀ ପ୍ରମୋଦ କୁମାର ସିଂହ ଏବଂ ଦେଶଦୀପକ ନିଶାଦଙ୍କୁ ଶନିବାର ଦିନ ଗୋରଖପୁରର ଦୌପୁର ଅଞ୍ଚଳରୁ ଗିରଫ କରାଯାଇ ଜେଲ୍‌କୁ ପଠାଇ ଦିଆଯାଇଛି। ରାଖୀ ଜୁନ୍‌ ମାସରୁ ନିରୁଦ୍ଦେଶ ହେବାରୁ ତାଙ୍କ ପରିବାର ଲୋକେ ମାମଲା ରୁଜୁ କରିବାରୁ ପ୍ରଥମେ ରାଖୀଙ୍କ ଦ୍ୱୀତିୟ ସ୍ୱାମୀ ମନୀଷ ସିଂହଙ୍କୁ ଧରା ଯାଇ ପଚରା ଉଚୁରା କରାଗଲା। କ୍ରମେ ତଦନ୍ତ ଉତ୍ତର ପ୍ରଦେଶ ପୁଲିସର ସ୍ପେସାଲ୍‌ ଟାସ୍କ୍‌ ଫୋର୍ସକୁ ରାଖୀଙ୍କ ପ୍ରଥମ ସ୍ୱାମୀ ଡାକ୍ତର ସିଂହଙ୍କ ଆଡ଼କୁ ନେଇ ଚାଲିଲା ଓ ବାସ୍ତବ କଥା ଜଣାପଡ଼ିଲା। ଡାକ୍ତର ସିଂହ ଗୋରଖପୁରରେ ଗୋଟାଏ ନର୍ସିଂହୋମ୍‌ ଚଳାନ୍ତି।

ତଦନ୍ତରୁ ଏସ୍‌ଟିଏଫ୍‌ ଜାଣିଲା ଯେ ଜୁନ୍‌ ୧ ତାରିଖ ଦିନ ମନୀଷଙ୍କ ସହ ରାଖୀ ନେପାଳ ଯାଇଥିଲେ। ରାଖୀ ନେପାଳରେ ରହିଲେ ଓ ମନୀଷ ଫେରି ଆସିଥିଲେ। ପୁଲିସ ଡାକ୍ତର ସିଂହଙ୍କ କଲ୍‌ ରେକର୍ଡ ଯାଞ୍ଚ କରି ଜାଣିଲା, ସେତେବେଳେ ସେ ମଧ୍ୟ ନେପାଳରେ ଥିଲେ। ଜୁନ୍‌ ୧ ରୁ ୪ ତାରିଖ ଯାଏଁ ନେପାଳର ପୋଖରା ଅଞ୍ଚଳରେ ରାଖୀଙ୍କ ଫୋନ୍‌ ସକ୍ରିୟ ଥିଲା। ଏସ୍‌ଏଫ୍‌ଟି ଟିମ୍‌ ପୋଖରା ଯାଇ ବୁଝାବୁଝି କରିବାରୁ ସ୍ଥାନୀୟ ପୁଲିସ ଜୁନ୍‌ ପ୍ରଥମ ସପ୍ତାହରେ ଜଣେ ମହିଳାଙ୍କ ଶବ ଉଦ୍ଧାର କରିଥିବା କଥା କହିଥିଲେ। ତାହା ରାଖୀଙ୍କ ଶବ ବୋଲି ପୁଲିସ ଟିମ୍‌ ଚିହ୍ନଟ କଲେ।
ଏଥର ଡାକ୍ତର ସିଂହଙ୍କ ଉପରେ ପୁଲିସର ସନ୍ଦେହ ଘନୀଭୂତ ହେଲା ଓ ତାଙ୍କୁ ପଚରା ଉଚୁରା କରିବାରୁ ସେ ସ୍ୱୀକାର କରିଥିଲେ କି, ରାଖୀ ତାଙ୍କୁ ଟଙ୍କା ଓ ସମ୍ପତ୍ତି ଲାଗି ବ୍ଲାକ୍‌ମେଲ୍‌ କରୁଥିବାରୁ ସେ ତାଙ୍କୁ ହତ୍ୟା କରିଥିଲେ।

ମନୀଷ ଫେରି ଆସିବା ପରେ ଡାକ୍ତର ସିଂହ ଓ ତାଙ୍କର ଦୁଇ ସହଯୋଗୀ ପୋଖରା ଠାରେ ରାଖୀଙ୍କୁ ଭେଟିଥିଲେ। ସେମାନେ ତାଙ୍କୁ ବାହାରକୁ ବୁଲାଇ ନେଇ ନିଶା ମିଶ୍ରିତ ପାନୀୟ ଦେଇ ପୋଖରାର ଏକ ପାହାଡ଼ ଅତଡ଼ାରୁ ତଳକୁ ଠେଲି ଦେଇଥିଲେ।

କିନ୍ତୁ, ପରେ ରାଖୀଙ୍କ ମୋବାଇଲ୍‌ ଫୋନ୍‌ ଯୋଗେ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ଅପ୍‌ଡେଟ୍‌ କରୁଥିଲେ।

ଶେଷ ଥର ଲାଗି ଉକ୍ତ ମୋବାଇଲ୍‌ ଫୋନ୍‌ଟି ଅକ୍ଟୋବର ୪ ତାରିଖ ଦିନ ଗୌହାଟିରେ ଥିବାକଥା ଟ୍ରାକ୍‌ କରାଯାଇଥିଲା। ଡାକ୍ତର ସିଂହ ମାନିଥିଲେ କି, ଫୋନ୍‌ଟିକୁ ସେଠାରେ ପକାଇ ଦେବାକୁ ସେ ନିଜ ସହଯୋଗୀଙ୍କ ହାତରେ ପଠାଇ ଥିଲେ।

ସମ୍ବନ୍ଧିତ ଖବର