ହରିଦ୍ୱାର:ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଡାକ୍ତର ଗିରଫ

ହରିଦ୍ୱାର: ବିବାହ କରିବାର ପ୍ରତିଶ୍ରୁତି ଦେଇ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ୩୫ ବର୍ଷୀୟ ଡାକ୍ତରଙ୍କୁ ଗିରଫ କରିଛି। ହରିଆନାର ସୋନିପତ ଜିଲ୍ଲାରେ ଡାକ୍ତରୀ ପେଷାରେ ଥିବା ଝଡଖଣ୍ଡ ରାଞ୍ଚିର ଏହି ଯୁବ ଡାକ୍ତର ଜଣକ ରାଜସ୍ଥାନର ଏହି ୩୦ ବର୍ଷୀୟା ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ଏ ନେଇ ଯୁବତୀଙ୍କ ଅଭିଯୋଗ କ୍ରମେ ପୁଲିସ ଦଫା ୩୭୬,୫୦୬ରେ ମାମଲା ରୁଜୁ କରି ସୋନିପତର ଏକ ଘରୋଇ ଡାକ୍ତରଖାନାରୁ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଛନ୍ତି। ପୀଡ଼ିତା ଯୁବତୀ ଜଣକ ଅଭିଯୋଗ କରିିଛନ୍ତି ଯେ ସେ ଏହି ଡାକ୍ତର ତାଙ୍କୁ ଗତ ୩ ମାସ ହେବ ବାରମ୍ବାର ଦୁଷ୍କର୍ମ କରିଛନ୍ତି। ସେ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ମାତ୍ର ପରେ ତାଙ୍କୁ ଧମକଚମକ ଦେଇ ଡାକ୍ତର ଜଣକ ସେଠାରୁ ପଳାଇ ଯାଇଥିଲେ। ଯୁବତୀଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଯୁବତୀଙ୍କ ଡାକ୍ତରୀମାଇନା କରିଥିଲା। ଯେଉଁଥିରେ ତାଙ୍କୁ ଦୁଷ୍କର୍ମ କରାଯାଇଥିିବା ସ୍ପଷ୍ଟ ହୋଇଥିଲା ବୋଲି ପୁଲିସ ସୂଚନା ଦେଇଛି।


ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଞ୍ଚିର ଏହି ଯୁବ ଡାକ୍ତରଜଣକ ରାଣୀପୁର ଝାଲରେ ଥିବା ଭୂମା ନିକେତନ ହସ୍‌ପିଟାଲରେ କାର୍ଯ୍ୟ କରୁଥିଲେ। ସେଠାରେ ରାଜସ୍ଥାନର ଏହି ଯୁବତୀଙ୍କୁ ଗତ ଜୁଲାଇ ମାସ ୨୬ ତାରିଖ ଦିନ ସେ ଭେଟିଥିଲେ। ଯୁବତୀ ଜଣକ ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରନ୍ତି କିଛି ବର୍ଷ ପୂର୍ବେ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ହରାଇଛନ୍ତି। ସେ ଚିକିତ୍ସିତ ହେବାକୁ ଡାକ୍ତରଖାନା ଆସିଥିବା ବେଳେ ତାଙ୍କୁ ମିଠାମିଠା କଥାରେ ପ୍ରଲୋଭିତ କରି ଓ ବିବାହର ପ୍ରତିଶ୍ରୁତି ଦେଇ ଡାକ୍ତରଜଣକ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ତାଙ୍କୁ ଠକି ଦେଇ ଅନ୍ୟତ୍ର ଚାଲି ଯାଇଥିଲେ। ଏ ନେଇ ଯୁବତୀଜଣକ ଗତ ସେପ୍ଟମ୍ବର ୨୯ ତାରିଖ ଦିନ ହରିଦ୍ୱାରର ଜଓ୍ଵାଲାପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାଙ୍କର ମେଡିକାଳ ଯାଞ୍ଚ କରି ଅଭିଯୁକ୍ତ ଡାକ୍ତରଙ୍କୁ ଖୋଜିବା ଆରମ୍ଭ କରିଥିଲେ। ମାତ୍ର ଡାକ୍ତରଙ୍କ ନାମରେ ମାମଲା ରୁଜୁ ହେବା ମାତ୍ରେ ସେ କାର୍ଯ୍ୟ କରୁଥିବା ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ କିଛି ନ ଜଣାଇ ସ୍ଥାନ ଛାଡ଼ି ଅନ୍ୟତ୍ର ପଳାଇଯାଇଥିଲେ। ଶେଷରେ ସୋନିପତରେ ଏକ ଘରୋଇ ଡାକ୍ତରଖାନାରେ କାମ କରୁଥିବା ଅଭିଯୁକ୍ତ ଡାକ୍ତରଙ୍କୁ ପୁଲିସ ଗିରଫ କରଛି ବୋଲି ଜଓ୍ଵାଲପୁର ଥାନା ଅଧିକାରୀ ଅମରଜିତ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର