ଲକ୍ଷ୍ମୌ: ପ୍ରଥମେ ଆୟୁର୍ବେଦରେ ଡାକ୍ତରୀ ଡିଗ୍ରି ତା'ପରେ ୧୧ ବର୍ଷର ଡାକ୍ତରୀ ଅଭ୍ୟାସ, ଏକ ନକଲି ଗ୍ୟାସ୍ ଏଜେନ୍ସି ଚଳାଇବା, ଏକ କିଡନି ପ୍ରତିରୋପଣ ରାକେଟରେ ସାମିଲ ହେବା ତା’ ପରେ ୫୦ ରୁ ଅଧିକ ଲୋକଙ୍କୁ ନିଷ୍ଠୁର ଭାବରେ ହତ୍ୟା କରି ପ୍ରମାଣ ନଷ୍ଟ କରିବା ପାଇଁ କୁମ୍ଭୀର ଭର୍ତ୍ତି ଥିବା କେନାଲରେ ଫିଙ୍ଗିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶର ଆଲିଗଡ଼ରେ ରହୁଥିବା ଦେବେନ୍ଦ୍ର ଶର୍ମା ବିହାରର ଏକ କଲେଜରୁ ବିଏଏମ୍ଏସ ପାଠ ପଢ଼ିବା ପରେ ରାଜସ୍ଥାନର ବନ୍ଦିକୁଇ ଅଞ୍ଚଳରେ ଜନତା କ୍ଲିନିକ୍ ସ୍ଥାପନ କରି ଡାକ୍ତରୀର ଅଭ୍ୟାସ ଆରମ୍ଭ କରିଥିଲେ।
ପ୍ରାୟ ୧୧ ବର୍ଷ ଧରି ଅଭ୍ୟାସ କରିବା ପରେ ଦେବେନ୍ଦ୍ର ଶର୍ମା ଡାକ୍ତରୀ ସେବାରୁ ଓହରି ଯାଇ ଏକ ଗ୍ୟାସ୍ ଏଜେନ୍ସି ଖୋଲିବା ଉଦ୍ଦେଶ୍ୟରେ ଆଲିଗଡ଼ ଫେରି ଯାଇଥିଲେ।
ଏହି ଗ୍ୟାସ ଏଜେନ୍ସି କାମ କରିବା ସମୟରେ ଦେବେନ୍ଦ୍ର ଶର୍ମାଙ୍କୁ କ୍ଷତି ସହିବାକୁ ପଡ଼ିଥିଲା। ଏହି କ୍ଷତିର ଭରଣ କରିବା ପାଇଁ ଦେବେନ୍ଦ୍ର ଏକ ନକଲି ଗ୍ୟାସ୍ ଏଜେନ୍ସି ତିଆରି କରିବା ସହିତ ବିଭିନ୍ନ ତେଲ କମ୍ପାନିର ଟ୍ରକ୍ ଲୁଟିବା ଆରମ୍ଭ କରିଥିଲେ।
କେବଳ ଏତିକି ସେ ୧୯୯୮ ରୁ ୨୦୦୪ ମଧ୍ୟରେ ଏକ ବେଆଇନ କିଡନି ପ୍ରତିରୋପଣ ରାକେଟରେ ମଧ୍ୟ ସାମିଲ ହୋଇଥିଲେ। ଏଠାରେ ଡାକ୍ତର ଏବଂ ମଧ୍ୟସ୍ଥିଙ୍କ ସହାୟତାରେ ଦେବେନ୍ଦ୍ର ଦିଲ୍ଲୀ, ହରିୟାଣା ଏବଂ ରାଜସ୍ଥାନରେ ୧୨୫ ରୁ ଅଧିକ ବେଆଇନ କିଡନି ପ୍ରତିରୋପଣ ମାମଲାରେ ସମ୍ପୃକ୍ତ ହୋଇଥିଲେ। ଏଥିରୁ ସେ ୫ରୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିଲେ।
ଏତିକିରେ ଦେବେନ୍ଦ୍ରଙ୍କ ମନକୁ ଶାନ୍ତି ମିଳି ନଥିଲା। ସେ ଟ୍ୟାକ୍ସି ଡ୍ରାଇଭରମାନଙ୍କୁ ଟାର୍ଗେଟ କରି ହତ୍ୟା କରିବା ଆରମ୍ଭ କରିଥିଲେ। ଏଥିପାଇଁ ସେ ଯୋଜନାବଦ୍ଧ ଭାବେ ଦିଲ୍ଲୀରୁ ଟ୍ୟାକ୍ସି ଭଡା କରି ଆସୁଥିଲେ। ଅଧା ବାଟରେ ସୁଯୋଗ ପାଇଲେ ସେ ଡ୍ରାଇଭରମାନଙ୍କୁ ହତ୍ୟା କରୁଥିଲେ। ହତ୍ୟା ପରେ ଶବଗୁଡ଼ିକୁ ଦେବେନ୍ଦ୍ର ଉତ୍ତରପ୍ରଦେଶର କାସଗଞ୍ଜରେ ପ୍ରବାହିତ ହଜାରା କେନାଲରେ ଫିଙ୍ଗି ଦେଉଥିଲେ। ଏହି କେନାଲଟିରେ କୁମ୍ଭୀର ଭର୍ତ୍ତି ଥିବା କୁହାଯାଏ। ଏପରି କରି ସେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଥିଲେ।
ଏହି ହତ୍ୟାକାଣ୍ଡଗୁଡ଼ିକର ରହସ୍ୟ ଉନ୍ମୋଚିତ ହେବାପରେ ପୁଲିସ ୨୧ ଜଣ ଟ୍ୟାକ୍ସି ଡ୍ରାଇଭରଙ୍କୁ ହତ୍ୟା କରିବା ଅଭିଯୋଗରେ ଦେବେନ୍ଦ୍ରଙ୍କୁ ଗିରଫ କରିଥିଲା। ଗିରଫ ପରେ ଦେବେନ୍ଦ୍ର ୫୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି।