ଟ୍ୟୁମର ଅସ୍ତ୍ରୋପଚାର କରୁକରୁ ଡାକ୍ତର ବାହାର କରିଦେଲେ ମହିଳାଙ୍କ ଜରାୟୁ, କହିଲେ ‘ଆଇଆମ୍‌ ସରି’

ପାଟନା: ବିହାରର ମୁଜଫରପୁର ଜିଲ୍ଲାରେ ଡାକ୍ତରଙ୍କ ଅବହେଳାର ହେତୁ ଜଣେ ମହିଳା ଆଉ କେବେ ମାଆ ହୋଇ ପାରିବେ ନାହିଁ ବୋଲି ଏକ ମାମଲା ସାମ୍ନାକୁ ଆସିଛି। ହସ୍‌ପିଟାଲରେ ଟ୍ୟୁମର ଅସ୍ତ୍ରୋପଚାର ପାଇଁ ଯାଇଥିବା ଜଣେ ମହିଳାଙ୍କର ଡାକ୍ତର ଜରାୟୁ ବାହାର କରି ଦେଇଥିବାର ଅଭିଯୋଗ ହୋଇଛି। ଏହି ମହିଳାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବାରୁ ସେ ଚିକିତ୍ସା ପାଇଁ ଦିଲ୍ଲୀ ପହଁଞ୍ଚିଥିଲେ। ସେଠାରୁ ସେ ଏହି ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ।

ସୂଚନାଯୋଗ୍ୟ, ବିହାରର ମୁଜଫରପୁର ଜିଲ୍ଲା ସକରା ଥାନା କ୍ଷେତ୍ରରେ ଏଭଳି ଏକ ଘଟଣା ଘଟିଛି। ଏହି ଥାନା ସମ୍ମୁଖରେ ଥିବା ଏକ ଘରୋଇ ନର୍ସିଂହୋମକୁ ଜନୈକା ମହିଳା ଚିକିତ୍ସା ପାଇଁ ଯାଇଥିଲେ। ସେଠାରେ ଟ୍ୟୁମର ଅସ୍ତ୍ରୋପଚାର ହେବ ବୋଲି କହି ମହିଳାଙ୍କୁ ସାତଦିନ ପର୍ଯ୍ୟନ୍ତ ଭର୍ତ୍ତି କରି ରଖିଥିଲେ। କିନ୍ତୁ ଡାକ୍ତର ଟ୍ୟୁମର ବଦଳରେ ଜରାୟୁକୁ ବାହାର କରି ଦେଇଥିଲେ। କିଛିଦିନ ପରେ ମହିଳାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସେ ଏହାର ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିଲେ। ଦିଲ୍ଲୀରେ ଡାକ୍ତର ଚିକିତ୍ସା କରିବା ପରେ ମହିଳାଙ୍କ ପେଟରେ ଜରାୟୁ ନଥିବା କଥା କହିଥିଲେ। ଏହି କଥା ଶୁଣି ମହିଳାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ଏହାପରେ ସେ ଏହି ଘଟଣା ସମ୍ପର୍କରେ ନିଜ ପରିବାରବର୍ଗ ଓ ସ୍ୱାମୀଙ୍କୁ ଜଣାଇଥିଲେ।

ମହିଳାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ପରିବାରଲୋକେ ସେହି ନସିଂ ହୋମରେ ଯାଇ ପହଞ୍ଚି ଉତ୍ତେଜନା ଆରମ୍ଭ କରିଦେଇଥିଲେ। ପ୍ରଥମେ ଡାକ୍ତର ମହିଳାଙ୍କ ପରିବାରବର୍ଗ ଲଗାଇଥିବା ଅଭିଯୋଗକୁ ଖଣ୍ଡନ କରିଥିଲେ ଏବଂ ତାଙ୍କୁ ନର୍ସିଂ ହୋମରୁ ବାହାରିବା ପାଇଁ କହିଥିଲେ। କିଛି ସମୟ ପରେ ନର୍ସିଂ ହୋମର ଚିିକିତ୍ସକ ସୁଧୀର କୁମାର ଉକ୍ତି ମହିଳା ଓ ତାଙ୍କ ପରିବାରବର୍ଗକୁ ଏହି ଘଟଣା ପାଇଁ କ୍ଷମା ମାଗି ନିଜ ଦୋଷକୁ ସ୍ୱୀକାର କରିଥିଲେ।

ମହିଳାଙ୍କ ଅସ୍ତ୍ରୋପଚାର ଡାକ୍ତର.ପିଏନ୍‌ ସିଂହ ନାମକ ଜଣେ ଡାକ୍ତର କରିଥିଲେ ବୋଲି ଜଣାପଡ଼ିଥିଲା। ଅସ୍ତ୍ରୋପଚାର ସମୟରେ ଯେତିକି ଟଙ୍କା ଲାଗିଥିଲା ସମସ୍ତ ଟଙ୍କା ଫେରାଇ ଦେବାକୁ ସେ କହିଥିଲେ।

ଏହି ଘଟଣାକୁ ନେଇ ପୀଡିତା ମହିଳାଙ୍କ ପିତା ବୈଦନାଥ ସାହ ଡାକରଙ୍କ ଏହି ଅବହେଳା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। କାରଣ ଡାକ୍ତରଙ୍କ ଏହି ଅବହେଳା ପାଇଁ ତାଙ୍କ ଝିଅ ଆଉ କେବେ ମାତୃତ୍ୱ ଲାଭ କରି ପାରିବ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର