ପଞ୍ଚକୁଲା: ହରିୟାଣାର ପଞ୍ଚକୁଲା ସେକ୍ଟର-୬ର ଜେନେରାଲ ହସ୍ପିଟାଲର ଏମ୍ଆର୍ଆଇ ଆଣ୍ଡ ସିଟି ସ୍କାନ୍ ସେଣ୍ଟରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ସେପ୍ଟେମ୍ବର ୨୨ ତାରିଖ ସନ୍ଧ୍ୟାରେ ଜଣେ ୫୮ ବର୍ଷିଅ ବରିଷ୍ଠ ନାଗରିକ ରାମ ମେହର ଚିକିତ୍ସା ପାଇଁ ହସ୍ପିଟାଲ୍ରେ ପହଁଞ୍ଚିଥିଲେ। ଡାକ୍ତର ତାଙ୍କର ସିଟି ସ୍କାନ୍ ହେବ ବୋଲି କହିଥିଲେ। ରାମ ମେହେର ଏମ୍ଆର୍ଆଇ ପାଇଁ ଯାଇଥିବା ବେଳେ ଟେକନିସିଆନ୍ ତାଙ୍କୁ ମେସିନରେ ଶୁଆଇ ଦେଇଥିଲେ। ଏହାପରେ କୌଣସି କାରଣବସତଃ ରୋଗୀ ମେସିନରେ ରହିବା କଥା ଟେକନିସିଆନ୍ ଭୁଲି ଯାଇଥିଲେ ।
ତେବେ ମେସିନ୍ ମଧ୍ୟରେ ରହି ରାମ ମେହେର ଅଣନିଃଶ୍ୱାସୀ ହୋଇଯିବା ପରେ ବାହାରକୁ ବାହାରିବାକୁ ଚେଷ୍ଟା କରିଥିଲେ। ହେଲେ ବେଲ୍ଟ ବନ୍ଧା ଯାଇଥିବାରୁ ସେ ସେଠାରୁ ବାହାରିବା କଷ୍ଟ ହୋଇଥିଲା। ଶେଷରେ ସେ ବେଲ୍ଟକୁ ଛିଡାଇ ଦେଇ ବାହାରକୁ ବାହାରି ଆସିଥିଲେ। ଯଦି ଆଉ କିଛି ସମୟ ବିଳମ୍ବ ହୋଇ ଥାଆନ୍ତା ତେବେ ତାଙ୍କର ମୃତ୍ୟୁ ହୋଇ ଯାଇଥାଆନ୍ତା ବୋଲି ରାମ ମେହେର କହିଛନ୍ତି। ଏହି ଘଟଣାକୁ ନେଇ ବୃଦ୍ଧ ରାମ ମେହେର ପୁଲିସ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି।