ଦାନ୍ତ ଭାଙ୍ଗିବା ପରେ ଅନ୍ୟ ଜଣେ ରୋଗୀଙ୍କ ରିପୋର୍ଟ ଧରାଇ ସବୁ ଠିକ୍‌ ଅଛି ବୋଲି କହିଲେ ଡ଼ାକ୍ତର, ୩ ମାସ ପରେ ରୋଗୀଙ୍କର ହୋଇଗଲା ଏଭଳି ଅବସ୍ଥା

ସୁରଟ୍‌ : ସୁରଟ୍‌ର ମହିଧରପୁରା ଥାନାରେ ଜଣେ ଡ଼ାକ୍ତରଙ୍କ ବିରୋଧରେ ରୋଗୀଙ୍କ ପ୍ରତି ଅବହେଳା କରିଥିବାର ଅଭିଯୋଗ ଆସିଛି । ଠିକ୍‌ ସମୟରେ ରୋଗୀଙ୍କୁ କର୍କଟ ରୋଗ ବିଷୟରେ ଜଣାଇ ନ ଥିବାରୁ ଡ଼ାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଡ଼ାକ୍ତର ଅନ୍ୟ ଜଣେ ରୋଗୀଙ୍କ ରିପୋର୍ଟ ପୀଡ଼ିତଙ୍କୁ ଦେବାରୁ ତାଙ୍କୁ କର୍କଟ ରୋଗ ବିଷୟରେ ସୂଚନା ମିଳି ପାରି ନ ଥିଲା । କିନ୍ତୁ ଏବେ ସବୁ ଜାଣିବା ବେଳକୁ ତାଙ୍କ ଜୀବନ ଏବେ ସଙ୍କଟରେ ବୋଲି ପୀଡ଼ିତ ଅଭିଯୋଗ କରି ପୁଲିସ ଆଗରେ ନ୍ୟାୟ ଭିକ୍ଷା କରିଛନ୍ତି ।

ପୀଡ଼ିତ ହସ୍‌ମୁଖଙ୍କ କହିବା ଅନୁଯାୟୀ, ଜୁଲାଇ ୨୦୧୮ରେ ଲାଲ ଦରଓ୍ଵାଜାସ୍ଥିତ ଡ଼ାକ୍ତର କୁନାଲ ପଟେଲଙ୍କ କ୍ଲିନିକ୍‌କୁ ଦାନ୍ତ ବିନ୍ଧାର ସମସ୍ୟା ନେଇ ପହଞ୍ଚିଥିଲେ । ଏହା ପରେ ଡ଼ାକ୍ତର କୁନାଲ ହସ୍‌ମୁଖ୍‌ଙ୍କ ଦାନ୍ତ କାଢ଼ି ଦେବା ସହ ଟେଷ୍ଟ ପାଇଁ ଲ୍ୟାବ୍‌କୁ ପଠାଇଥିଲେ । ଦାନ୍ତ କଢ଼ାଯିବା ପରେ ହସ୍‌ମୁଖ୍‌ଙ୍କ ବିନ୍ଧା କମିବା ପରିବର୍ତ୍ତେ ବଢ଼ି ଯାଇଥିଲା । ଯାହା ପାଇଁ ସେ ପୁଣି ଡ଼ାକ୍ତର କୁନାଲଙ୍କୁ ଦେଖାଇବାକୁ ଯାଇଥିବା ବେଳେ ୩ ମାସ ପର୍ଯ୍ୟନ୍ତ ଏପରି ସମସ୍ୟା ରହିବ ଏବଂ ଔଷଧ ଖାଇବା ପରେ ଠିକ୍‌ ହୋଇଯିବ ବୋଲି ସେ କହିଥିଲେ । ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ ଡ଼ାକ୍ତର ସେଥିରେ ହସ୍‌ମୁଖ୍‌ଙ୍କ ନାଁ ଲେଖିବା ସହ ସବୁ ଠିକ୍‌ ଅଛି ବୋଲି କହି ହସ୍‌ମୁଖ୍‌ଙ୍କୁ ଘରକୁ ପଠାଇଥିଲେ । ସୁରଟ୍‌ରେ ଚିକିତ୍ସା କରିବା ପରେ ମଧ୍ୟ ସମସ୍ୟାର ସମାଧାନ ନ ହେବାରୁ ହସ୍‌ମୁଖ୍‌ ଭାବନଗରରେ ଆଉ ଜଣେ ଡ଼ାକ୍ତରଙ୍କ ପାଖକୁ ଯାଇ ଦେଖାଇଥିଲେ । ସେଠାରେ ତାଙ୍କୁ କର୍କଟ ରୋଗ ହୋଇଥିବା ଜଣା ପଡ଼ିଥିଲା।

ଅହମ୍ମଦାବାଦ୍‌ରେ ଚିକିତ୍ସା କରାଇବାକୁ ଡ଼ାକ୍ତର ପରାମର୍ଶ ଦେବା ପରେ କର୍କଟ ରୋଗ ଚତୁର୍ଥ ଷ୍ଟେଜ୍‌ରେ ଥିବା ସହ ଏହାର ଚିକିତ୍ସା ହୋଇ ପାରିବ ନାହିଁ ବୋଲି କହିଥିଲେ ଡ଼ାକ୍ତର । ଏବେ କେବଳ କେମୋଥେରାପି ହିଁ କରାଯାଇ ପାରିବ ବୋଲି ଜାଣିବା ପରେ ହସ୍‌ମୁଖ୍‌ ସିଧା ପୁଲିସ ଷ୍ଟେସନ ଯାଇ ଡ଼ାକ୍ତର କୁନାଲଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର