ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଉଦ୍ଧମ ସିଂହ ନଗର ଅଞ୍ଚଳରୁ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଭିଡିଓରେ ଦେଖିବାକୁ ମିଳୁଥିବା ମହିଳା ଜଣକ ମା’ ଆଡଭାନ୍ସ ଡେଣ୍ଟାଲ କେୟାରର ଡାକ୍ତରାଣୀ ଥିବା କୁହାଯାଉଛି। ନାମ ତାଙ୍କର ଆଞ୍ଚଲ ଢ଼ିଙ୍ଗରା। 

Advertisment

ସୂଚନାଯୋଗ୍ୟ, ଡାକ୍ତରାଣୀ ଆଞ୍ଚଲ ଢ଼ିଙ୍ଗରା ଦୀପାବଳି ଦିନ  ନିଜର ଫାର୍ମ ହାଉସରେ ଛିଡ଼ା ହୋଇଥିବା ଥାର ଗାଡ଼ି ନିକଟରେ ବନ୍ଧୁକ ଧରି ଗୁଳି ଫୁଟାଇଥିଲେ।  ଏହାର ଭିଡିଓ କରି ଡାକ୍ତରାଣୀ ଆଞ୍ଚଲ ନିଜେ ‌ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓଟି ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଯାଇଥିଲା। ଏହି ଭିଡିଓ ସାମ୍ନାକୁ ଆସିବାପରେ  ରୁଦ୍ରପୁର କୋତବାଲିରେ ମହିଳା ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଡାକ୍ତରାଣୀଙ୍କ ଏଭଳି କାମକୁ ନେଇ ସ୍ଥାନୀୟଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଭାଇରାଲ ଭିଡିଓରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଡାକ୍ତରାଣୀ ନିର୍ଭୟରେ ହାତକୁ ଉପରକୁ ଟେକି ଫାଙ୍କା ବନ୍ଧୁକ ଚାଳନା କରୁଛନ୍ତି। ତେବେ ସବୁଠାରୁ ବିପଦପୂର୍ଣ୍ଣ କଥା ହେଉଛି ଡାକ୍ତରାଣୀ ଯେଉଁ ସ୍ଥାନରେ ଛିଡ଼ା ହୋଇ ଫାୟାରିଂ କରିଥିଲେ ସେଠାରେ ଲୋକଙ୍କୁ ଗୁଳି ବାଜିବାର ଅନେକ ସମ୍ଭାବନା ରହିଥିଲା। 

ରୁଦ୍ରପୁରର ସିଓ ବହାଦୁର ସିଂହ ଚୌହ୍ବାନ କହିଛନ୍ତି, ‘ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଡାକ୍ତରାଣୀ ଗୁଳିଫୁଟାଇବା ଭିଡିଓ ସାମ୍ନାକୁ ଆସିବା ପରେ ଯାଞ୍ଚ ଆରମ୍ଭ କରି ଦିଆଯାଇଛି। ପୁଲିସ ସ୍ପଷ୍ଟ କରିଛି ଏଭଳି ମାମଲାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।