ନୂଆଦିଲ୍ଲୀ: ଗତ ଅକ୍ଟୋବର ମାସରୁ ନିଯୁକ୍ତିଦାତା ଏବଂ ଅନ୍ୟ ନଅ ଜଣ ଲୋକ ତାଙ୍କ ସହ ବାରମ୍ବାର ଦୁଷ୍କର୍ମ କରି ଆସୁଥିବା କଥା ପୂର୍ବ ଦିଲ୍ଲୀର ଜଣେ ୨୮ ବର୍ଷୀୟ ଚାକରାଣୀ ଅଭିଯୋଗ କରିଛି ବୋଲି ଶୁକ୍ରବାର ଦିନ ପୁଲିସ କହିଛି।
ପ୍ରଥମ ଥର ଦୁଷ୍କର୍ମଜନିତ କ୍ଷତର ଚିକିତ୍ସା ନିମନ୍ତେ ତାଙ୍କୁ ଲୋକ ନାୟକ ହସ୍ପିଟାଲ୍କୁ ନିଆଯାଇଥିବା ସମୟରେ ସେଠାରେ ଡାକ୍ତରଙ୍କ ବନ୍ଧୁ ତାଙ୍କ ସହ ଦୁଷ୍କର୍ମ କରିଥିଲେ।
ସିଲିଙ୍ଗ୍ ଡ୍ରାଇଭ୍ ଯୋଗୁଁ ସ୍ୱାମୀ ବେକାର ହୋଇଯିବା ପରେ ଗୀତା ସେଠୀ ନାମ୍ନା ଜଣେ ପଡ଼ୋଶୀ ମହିଳାଙ୍କ ସହଯୋଗରେ ଉକ୍ତ ମହିଳାଜଣକ ଜଣେ ପ୍ରପର୍ଟି ଡିଲର୍ଙ୍କ ଘରେ ଚାକରାଣୀ କାମ ପାଇଥିଲେ। ଅଭିଯୋଗରେ ଚାକରାଣୀ ମହିଳା ଦର୍ଶାଇଛନ୍ତି କି, ସେଠୀ ହିଁ ତାଙ୍କ ସହ ଦୁଷ୍କର୍ମ ହେବାର ସୁବିଧା କରାଇ ଥିଲେ।
ଶାହଦରା ଡେପ୍ୟୁଟି ପୁଲିସ କମିସନର୍ ମେଘନା ଯାଦବ କହନ୍ତି: ଗତ ରବିବାର ଦିନ ଚାକରାଣୀ ମହିଳା ଗୀତା କଲୋନି ଥାନାରେ ପହଞ୍ଚିବା ପରେ ପ୍ରପର୍ଟି ଡିଲର୍ ଓ ପଡ଼ୋଶୀ ମହିଳା ଗିରଫ ହୋଇଛନ୍ତି।
ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି: ବିପତ୍ନୀକ ପ୍ରପର୍ଟି ଡିଲର୍ଙ୍କ ଘରେ ସେଠୀ ସେ ମହିଳାଙ୍କୁ କାମଟିଏ ଯୋଗାଡ଼ କରିଦେଲେ। ଚାକରାଣୀ ମହିଳା ତାଙ୍କ ଘରେ କାମ ଆରମ୍ଭ କରିବା ପରେ ପ୍ରପର୍ଟି ଡିଲର୍ ତାଙ୍କ ସହ ଦୁଷ୍କର୍ମ କଲେ। ସେତେବେଳର ଏକ ଭିଡିଓ ସୁଟିଙ୍ଗ୍ କରି ସେ ଚାକରାଣୀଙ୍କୁ ବ୍ଲାକ୍ମେଲ୍ କରୁଥିଲେ।
ଚାକରାଣୀ ମହିଳା ଅଭିଯୋଗ କରିଛନ୍ତି କି, ତା’ପର ମାସଗୁଡ଼ିକରେ ସମୁଦାୟ ୯ ଜଣ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି। ବିଭିନ୍ନ ସମୟରେ ଏସବୁର ଭିଡିଓ ଦେଖାଇ ତାଙ୍କୁ ବ୍ଲାକ୍ମେଲ୍ କରାଯାଇଛି। ପୁଲିସକୁ କହିଲେ ତାଙ୍କୁ ଓ ତାଙ୍କ ଝିଅକୁ ହତ୍ୟା କରାଯିବ ବୋଲି ଧମକ ମଧ୍ୟ ଦିଆଯାଇଛି।