ଗୃହ ସହାୟିକାଙ୍କୁ ଶାରୀରିକ ନିର୍ଯାତନା ଦେଇ ମୁତ୍ରରେ ପିଙ୍ଗି ଦେଇଥିଲେ ଦିଲ୍ଲୀ ଦମ୍ପତି, କାଟି ଦେଇଥିଲେ ଚୁଟି

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ରଜୌରୀ ଗାର୍ଡେନ୍‌ରେ ଦେଖିବାକୁ ମିଳିଛି ଏକ ଅଭ‌ାବନୀୟ ଘଟଣା। ଜଣେ ଗୃହ ସହାୟିକାଙ୍କୁ ତା‌ଙ୍କ ମାଲିକ ଦମ୍ପତି ଶାରୀରିକ ନିର୍ଯାତନା ଗୁରୁତର କରିଥିବା ଅଭିଯୋଗ ହୋଇଛି। ୪୮ ବର୍ଷୀୟା ମହିଳା ସହାୟିକାଙ୍କୁ ତାଙ୍କ ମାଲିକ ଓ ମାଲିକାଣୀ ମିଶି ମାଡ଼ ମାରିବା ସହ ତାଙ୍କ ଚୁଟି କାଟି ଦେଇଥିଲେ। ଏହି ଘଟଣାଟି ରବିବାର ଦିନର ବୋଲି ସୂତ୍ରରୁ ଜାଣିବାକୁ ମିଳିଛି।

ପୁଲିସ୍‌ କହିବା ମୁତାବକ, ପୀଡ଼ିତା ରଜନୀ ହେଉଛନ୍ତି ପଶ୍ଚିମବଙ୍ଗର ସିଲିଗୁଡ଼ିର। ସେ ଦିଲ୍ଳୀରେ ଜଣଙ୍କ ଘରେ ଗୃହ ସହାୟିକା ଭାବେ କାର୍ଯ୍ୟ କରୁଥିଲେ। ସେ ଏବେ ଶାରୀରିକ ନିର୍ଯାତନାର ଶିକାର ହୋଇ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ପରିବାର ଲୋକଙ୍କୁ ଏ ସଂପର୍କରେ ସୂଚନା ଦିଆଯାଇଛି। ମହିଳା ଜଣଙ୍କୁ ତାଙ୍କ ମାଲିକ ପାରିଶ୍ରମିକ ଆକାରରେ ମାସକୁ ୭ ହଜାର ଟଙ୍କା ଦେଉଥିଲେ।

ରବିବାର ସଂଧ୍ୟାରେ ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସି ପାଖ୍‌କୁ କଲ୍‌ ଆସିଥିଲା ଯେ ରଜନୀ ଅସୁସ୍ଥ ଓ ତାଙ୍କୁ ଘରକୁ ନେବା ଜରୁରି। ତା’ପରେ ରଜନୀ ଯାହାଙ୍କ ପାଖରେ କାମ କରୁଥିଲେ ସେ ଦମ୍ପତି ରଜନୀଙ୍କୁ ନିଜ ଗାଡ଼ିରେ ଆଣି ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସି ଅଫିସ୍‌ରେ ଛାଡ଼ି ଦେଇ ଯାଇଥିଲେ। ସେଠାରେ ରଜନୀ ଅଚେତ ଅବସ୍ଥାରେ ନିଜ ମୁତ୍ର ଉପରେ ପଡ଼ି ରହିଥିଲେ। ଏପରିକି ଚଳପ୍ରଚଳ ହେବାକୁ ତାଙ୍କ ଦେହରେ ଟିକେ ଶକ୍ତି ନଥିଲା। ସେମାନେ ତାଙ୍କୁ ଅନେକ ମାରପିଟ କରିଛନ୍ତି ବୋଲି ପ୍ଲେସ୍‌ମେଣ୍ଟ୍‌ ଏଜେନ୍ସି ମାଲିକ ଗଣମାଧ୍ୟମରେ ସୂଚନା ଦେଇ କହିଥିଲେ।

ହସ୍ପିଟାଲ୍‌ରେ ଭର୍ତ୍ତି ହେବା ପରେ ରଜନୀଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ପରୀକ୍ଷାରୁ ସ୍ପଷ୍ଟ ହୋଇଛି ଯେ ତାଙ୍କୁ ଶାରୀରିକ ନିର୍ଯାତନା ମିଳିଛି। ଏପରିକି ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ବାନ୍ତି ମଧ୍ୟ ହୋଇଛି।

ସେ ଉକ୍ତ ଦମ୍ପତିଙ୍କ ଘରେ ଗତବର୍ଷ ସେପ୍ଟେମ୍ବରରୁ କାମ କରୁଥିଲେ ବୋଲି ଏଜେନ୍ସି ମାଲିକ ସୂଚନା ଦେଇଛନ୍ତି। ରଜନୀଙ୍କ ପୂର୍ବରୁ ସେ ଅନ୍ୟ ଜଣେ ମହିଳାଙ୍କୁ ସେଠାରେ ନିଯୁକ୍ତି ଦେଇଥିଲେ। ମାତ୍ର ଉକ୍ତ ମହିଳା ଜଣକ ଚୋରଣୀ ବୋଲି କହି ଦମ୍ପତି ତାଙ୍କୁ କାମରୁ କାଢ଼ି ଦେଇଥିଲେ।

ସମ୍ବନ୍ଧିତ ଖବର