ଡକାୟତି ଯୋଜନା ପଣ୍ଡ, ୩ ଗିରଫ

ଭୁବନେଶ୍ୱର: ଶନିବାର ବିଳମ୍ବିତ ରାତିରେ ଟ୍ରେନ୍‌ରୁ ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗର ୩ ଡକାୟତଙ୍କୁ ରେଳବାଇ ପୁଲିସ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୫ ରାଉଣ୍ଡ ଗୁଳି, କଟୁରି ଓ ୪ଟି ମୋବାଇଲ୍‌ ଜବତ କରିଛି। ସେମାନେ ହେଲେ, ପୁରୀ ଜିଲ୍ଲା ଚନ୍ଦନପୁର ଅଞ୍ଚଳର ସଞ୍ଜୟ ବେହେରା (୨୩), ବ୍ରହ୍ମଗିରି ଅଞ୍ଚଳର ସୂର୍ଯ୍ୟ ମହାପାତ୍ର (୨୭) ଓ ବିହାର ମୁଜାଫାରପୁର ଅଞ୍ଚଳର ଇନ୍ଦ୍ରଜିତ କୁମାର (୨୭)। ଶନିବାର ରାତି ପ୍ରାୟ ୧୨ଟାରେ କଳ୍ପନା ଓଭରବ୍ରିଜ୍‌ ନିକଟ ରେଳଧାରଣା ନିକଟରେ ଏହି ୩ ଅଭିଯୁକ୍ତଙ୍କ ସମେତ ମୋଟ ୫ଜଣ ଟ୍ରେନ୍‌ରୁ ଡକାୟତି କରିବାକୁ ଯୋଜନା ଚଳାଇଥିଲେ। ଏହି ସମୟରେ ପାଟ୍ରୋଲିଂରତ ରେଳବାଇ ଥାନା ପୁଲିସ ଓ ଆରପିଏଫ୍‌ର ଏସ୍‌ଟିଏଫ୍‌ର ସେମାନଙ୍କ ଉପରେ ନଜର ପଡ଼ିଥିଲା। ପୁଲିସକୁ ଦେଖି ଘଟଣାସ୍ଥଳରୁ ୨ଜଣ ଫେରାର୍‌ ହୋଇଯାଇଥିବା ବେଳେ ୩ଜଣ ଧରା ପଡ଼ିଥିଲେ। ପୁଲିସ ଯାଞ୍ଚ କରି ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୫ ରାଉଣ୍ଡ ଗୁଳି, ଗୋଟିଏ କଟୁରି ଓ ୪ଟି ମୋବାଇଲ ଜବତ କରିଥିଲା। ଏହାପରେ ସେମାନଙ୍କୁ ଥାନାକୁ ଆଣି ପଚରାଉଚରା ପରେ ସେମାନେ ଟ୍ରେନ୍‌ରୁ ଡକାୟତି କରିବା ପାଇଁ ଯୋଜନା କରୁଥିବା ସ୍ୱୀକାର କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ୩ ଡକାୟତଙ୍କୁ କୋର୍ଟଚାଲାଣ କରିଛି। ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ପ୍ରକାଶ ଥାଉ କି, ପୂର୍ବରୁ ୩ ଡ଼କାୟତଙ୍କ ନାମରେ ପୁରୀ ଓ ଖୋର୍ଧା ଜିଲ୍ଲାର ବିଭିନ୍ନ ଥାନାରେ ବୋମା ଓ ଗୁଳିମାଡ଼, ହତ୍ୟା, ଲୁଟପାଟ ଭଳି ଏକାଧିକ ଆପରାଧିକ ମାମଲା ରହିଛି। ସେମାନେ ଏକାଧିକବାର ଗିରଫ ହୋଇ ଜେଲ୍‌ ମଧ୍ୟ ଯାଇଛନ୍ତି।

ସମ୍ବନ୍ଧିତ ଖବର