ଭୋପାଳ: ସ୍ବାମୀକୁ ଛାଡ଼ି ପ୍ରେମିକ ସହ ବୁଲିବା ପଡ଼ିଲା ମହଙ୍ଗା। ବିଚ୍ ରାସ୍ତାରେ ଦୁହିଁଙ୍କୁ ହାଣିଲା ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଭୋପାଳରେ ଥିବା ଅଶୋକା ଗାର୍ଡେନ ଅଞ୍ଚଳରେ। ଆକ୍ରମଣ ପରେ ଦୁହିଁଙ୍କ ମୃତ୍ୟୁ ହୋଇଥିବା ସହ ବଞ୍ଚିଯାଇଛି ୫ବର୍ଷର ଝିଅ। ପ୍ରେମିକ ସହ ରହିବା ପାଇଁ ସ୍ବାମୀକୁ ଛାଡ଼ି ସ୍ତ୍ରୀ ମାସେ ତଳେ ଘର ଛାଡ଼ିଥିଲେ। ଏହି ରାଗରେ ସ୍ବାମୀ ଏଭଳି କରିଥିବା କହିଛି ପୁଲିସ।
ପୁଲିସର କହିବା ମୁତାବକ, ବିବାହ ପରେ ମୃତ ମହିଳାଙ୍କର ମୃତ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏବିଷୟରେ ଅଭିଯୁକ୍ତ ସ୍ବାମୀ ଜାଣିବା ପରେ ସ୍ତ୍ରୀକୁ ତାଗିଦ କରିବା ସହ ଯୁବକଙ୍କଠାରୁ ଦୂରେଇ ରହିବା ପାଇଁ କହିଥିଲେ। ହେଲେ ସ୍ତ୍ରୀ ଶୁଣିନଥିଲେ। ଦେଖା କରିବା ପାଇଁ ସ୍ବାମୀ ରୋକୁଥିବାରୁ ମୃତ ମହିଳା ନିଜ ୫ବର୍ଷର ଝିଅକୁ ଧରି ଘର ଛାଡ଼ିଥିଲେ। ମହିଳାଜଣକ ବିଦିଶା ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ସେ ନିଜ ପ୍ରେମିକ ସହ ଭୋପାଳ ଚାଲି ଆସିଥିଲେ। ମାସେ ପର୍ଯ୍ୟନ୍ତ ହସ ଖୁସିରେ ଜୀବନ ବିତାଇବା ପରେ ଦୁହିଁଙ୍କ ଠିକଣା ଜାଣିପାରିଥିଲା ସ୍ବାମୀ। ଏହା ପରେ ଭୋପାଳ ଆସି ପତ୍ନୀ ଓ ପ୍ରେମିକର ଗିତିବିଧି ଉପରେ ନଜର ରଖିବା ସହ ହତ୍ୟା କରିବା ପାଇଁ ଧାରୁଆ ଛୁରୀ କିଣିଥିଲା ଅଭିଯୁକ୍ତ। ୩ଦିନ ପିଛା କରିବା ପରେ ଘଟଣା ଦିନ ଅଭିଯୁକ୍ତ ନିଜ ପତ୍ନୀ ଓ ତାଙ୍କ ପ୍ରେମିକକୁ ବିଚ୍ ରାସ୍ତାରେ ଛୁରୀରେ ଆକ୍ରମଣ କରିଥିଲେ। ଏହି ସମୟରେ ପତ୍ନୀଙ୍କ ସହ ୫ବର୍ଷର ଝିଅ ଥିଲେ ବି ଅଭିଯୁକ୍ତ ନିଜ ଝିଅକୁ ଆକ୍ରମଣ କରିନଥିଲେ।

ତେବେ ଘଟଣା ଘଟିବା ପରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ।